Odia News Portal

ମଙ୍ଗଳବାର ସଂଧ୍ୟା ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ଶେଷହେବ : ଏସଆରସି

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବାତ୍ୟା ୟାସ୍ ମୁକାବିଲା ପ୍ରସ୍ତୁତି ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯ଼େ ବାତ୍ୟା ୟାସ୍ ବାଲେଶ୍ବର କିମ୍ବା ଭଦ୍ରକରେ ଲାଣ୍ଡଫଲ କରିବ । ତେବେ ଆଗାମୀ ସମୟରେ ଭାରତୀୟ ପାଣିପାଗ ବିଭାଗ ଏ ନେଇ ସ୍ଥିତି ସ୍ପଷ୍ଟ କରିବ ।

ବାତ୍ୟା ପ୍ରଭାବରେ ୨୫ରୁ ୨୭ ପର୍ୟ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ବର ଓ ଭଦ୍ରକରେ ସମୁଦ୍ରରେ ବଡ଼ ବଡ଼ ଉଚ୍ଚତାର ଢେଉ ଉଠିବ ବୋଲି ସେ କହିଛନ୍ତି ।ଆସନ୍ତା କାଲି ସଂଧ୍ୟା ସୁଦ୍ଧା ସବୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କାର୍ଯ୍ୟ ଶେଷ ହୋଇଥିବ । ଆସନ୍ତା କାଲି ସଂଧ୍ୟାସୁଦ୍ଧା ତଳିଆ ଓ ବିପଦର ସମ୍ଭାବନା ଥିବା ଅଞ୍ଚଳରେ କୌଣସି ଲୋକ ଘରେ ନ ଥିବେ । ବାତ୍ୟା ଆଶ୍ରୟସ୍ଥଳରେ ଖାଦ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯ଼ାଇଛି । ଏହା ସହିତ ଗର୍ଭବତୀ ମହିଳା ଓ ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯ଼ାଇଛି ।
ବଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ହାଇ ଇମ୍ପାକ୍ଟ ଜୋନ ମଧ୍ୟରେ ରହିବ । ଏହା ସହିତ ଯ଼ାଜପୁର, କେନ୍ଦୁଝର ଜିଲ୍ଲାରେ ମଧ୍ୟ ପ୍ରଭାବ ରହିବ । ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯ଼ାଇଛି ।

ବାତ୍ୟା ପରଦିନ ବିଦ୍ୟତ ସରବରାହ ଚାଲୁ କରିବାକୁ ବିଦ୍ୟୁତ ବିଭାଗ କର୍ମଚାରୀମାନେ କାମ କରୁଥିବାରୁ ସେଦିନ ସକାଳ ୬ରୁ ସଂଧ୍ୟା ୬ଟା ପର୍ୟ଼୍ୟନ୍ତ ଘରେ ଜେନେରେଟର ନ ଲଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଭଦ୍ରକ-ବାଲେଶ୍ୱର ଲ୍ୟାଣ୍ଡଫଲକୁ ନେଇ ଆମେ ସତର୍କତା ଅବଲମ୍ବନ କରିଛୁ। ଆସନ୍ତାକାଲି ଠାରୁ ବର୍ଷା ସନ୍ଧ୍ୟାରେ ପବନ ବେଗ ବଢ଼ିବ। ସେଥିପାଇଁ ଜିଲ୍ଲାପାଳମାନଙ୍କୁ ଉଦ୍ଧାର କାର୍ଯ୍ୟ କରିବାକୁ କୁହାଯାଇଛି। କାଲି ସନ୍ଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ସାରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଆଜିଠାରୁ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଆଶ୍ରୟସ୍ଥଳୀରେ ସମସ୍ତଙ୍କୁ ମାସ୍କ ଦିଆଯିବାର ବ୍ୟବସ୍ଥା କରାଯାଇଛି। ରନ୍ଧା ଖାଦ୍ୟ ସହ ଛତୁଆ ଓ ବିସ୍କୁଟ ଖାଇବାକୁ ଦିଆଯିବ। ବାତ୍ୟା ବେଳେ ବାହାରକୁ ନବାହାରିବାକୁ ଏସଆରସି ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଅନୁରୋଧ କରିଛନ୍ତି।

ବାତ୍ୟାରେ ସତର୍କ ରହିବାକୁ ଏସଆରସି  ଲୋକଙ୍କୁ ଅପିଲ୍ କରିଛନ୍ତି। ବାତ୍ୟା ପବନ କମିବା ମାତ୍ରେ କିଛି ଲୋକ ଜେନେରେଟ ଲଗାଇଥାନ୍ତି। ଏହା ଦ୍ଵାରା ବ୍ୟାକ କରେଣ୍ଟ ଯାଏ ଏବଂ ଏଥିରେ ବିଦ୍ୟୁତ କର୍ମଚାରୀ ମୃତାହତ ହୁଅନ୍ତି। ତେଣୁ ବାତ୍ୟା ପରେ କୌଣସି ଲୋକ ଜେନେରେଟର ନଲଗାନ୍ତୁ ନାହିଁ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଜେନେରେଟର ଲଗାନ୍ତୁ ନାହିଁ ବୋଲି ଏସଆରସି କହିଛନ୍ତି।

ଜିଲ୍ଲାମାନଙ୍କରେ ପ୍ରସ୍ତୁତି ଠିକ୍ ଚାଲିଛି। ୧୨ ହଜାର ବିଦ୍ୟୁତ୍ କମର୍ଚାରୀଙ୍କୁ ନିୟୋଜିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା  ୨୨ଟି ଏନଡିଆରଏଫ, ୫୨ଟି ଓଡ୍ରାଫ୍ ଓ ୧୨୫ ଫାୟାର ଟିମ୍ ଜିଲ୍ଲାଗୁଡ଼ିକୁ ପଠାଯାଇଛି। ବାଦ୍ ରାଜ୍ୟରେ ଆଉ ୩୦ଟି ଏନଡିଆରଏଫ ଟିମ ମୁତୟନ କରାଯିବ।  ପାଟନାରୁ ଦୁଇଟି ଓ ବିଜୟୱାଡ଼ାରୁ ୬ଟି ଦଳ ଏବଂ ଆଉ ୨୨ଟି ବିମାନ ଯୋଗେ ଉଦ୍ଧାରକାରୀ ଟିମ ବିଭିନ୍ନ ସ୍ଥାନରୁ ଆସୁଛନ୍ତି। ଆସନ୍ତାକାଲି ସକାଳ ସୁଦ୍ଧା ସେମାନଙ୍କୁ ସବୁ ଜିଲ୍ଲାରେ ମୁତୟନ କରାଯିବ ବୋଲି ଏସଆରସି କହିଛନ୍ତି।