Odia News Portal

ଏସିଆ କପ୍ ଦୁଇ ବର୍ଷ ପାଇଁ ସ୍ଥଗିତ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୧ ଇଭେଣ୍ଟକୁ ଦୁଇ ବର୍ଷ ପାଇଁ ସ୍ଥଗିତ ରଖିଲା ଏସିସି| ଏସୀୟ କ୍ରିକେଟ୍ ପରିଷଦ (ଏସିସି) ରବିବାର ଏହାର ସୂଚନା ଦେଇଛି। ଘାତକ କରୋନା ଭାଇରସ୍‌ ଯୋଗୁଁ କ୍ରିକେଟ୍ କ୍ୟାଲେଣ୍ଡରରେ ଲଗାତାର ପରିବର୍ତ୍ତନ ହେବ ଏବଂ ସମୟ ନମିଳିବାରୁ ଏସିଆ କପ-୨୦୨୧କୁ ସ୍ଥଗିତ ରଖିବାକୁ ପଡିଛି । ଏସିସି ଅନୁଯାୟୀ, ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍ ୨୦୨୩ରେ ଅନୁଷ୍ଠିତ ହେବ | କାରଣ ୨୦୨୨ରେ ପୂର୍ବରୁ ନିର୍ଦ୍ଧାରିତ ଏସିଆ କପ ଆୟୋଜନ  ହେବାର ଅଛି ।

ଏସିସି ଏକ ବିବୃତ୍ତି ଜାରି କରି କହିଛି ଯେ ବର୍ତମାନର ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୋର୍ଡ ଏହି ପ୍ରସଙ୍ଗକୁ ଅତି ସତର୍କତାର ସହ ବିଚାର କରିଛି ଏବଂ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିବା ଏକମାତ୍ର ବିକଳ୍ପ ବୋଲି ନିଷ୍ପତ୍ତି ନେଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ପ୍ରଥମେ ପାକିସ୍ତାନରୁ ଶ୍ରୀଲଙ୍କା  ସ୍ଥାନାନ୍ତର  କରାଯାଇଥିଲା। ତେବେ ସେଠାରେ ମାମଲା  ବଢୁଥିବାରୁ ବାଧ୍ୟ ହୋଇ ଟୁର୍ଣ୍ଣାମେଣ୍ଟକୁ ରଦ୍ଦ କରିବାକୁ ପଡିଛି। ଏସୀୟ କ୍ରିକେଟ୍ ପରିଷଦ କହିଛି ଯେ ୨୦୨୩ ମସିହାରେ ଟୁର୍ଣ୍ଣାମେଣ୍ଟର ଏହି ସିଜନ୍ ଆୟୋଜନ କରିବା ଠିକ୍ ହେବ। ପରବର୍ତ୍ତୀ ସମୟରେ ଏହାର କ୍ରୀଡାସୂଚୀ ଜାରି କରାଯିବ ।