ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଭର୍ଚୁଆଲ ମାଧ୍ୟମରେ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପରିସରରେ ୧୫୦ ଶଯ୍ୟାବିଶିଷ୍ଟ ଜିଲ୍ଲା କୋଭିଡ୍ ହସ୍ପିଟାଲ୍ ର ଲୋକାର୍ପଣ କରିଛନ୍ତି । ଭୁବନେଶ୍ୱରର ସମ୍ ହସ୍ପିଟାଲ୍ ର ସହଯୋଗରେ ନିର୍ମିତ ଏହି ହସ୍ପିଟାଲ୍ ରେ ୯୦ଟି ଅମ୍ଳଜାନ ସଂଯୁକ୍ତ ଶଯ୍ୟା, ୪୦ଟି ଏଚ୍ ଡିୟୁ ଶଯ୍ୟା ଏବଂ ୨୦ଟି ଆଇସିୟୁ ଶଯ୍ୟା ରହିଛି । ଏଠାରେ ମଧ୍ୟ ଉନ୍ନତ ମାନର ପରୀକ୍ଷାଗାର ଏବଂ ଡାଇଗ୍ନୋଷ୍ଟିକ୍ ସୁବିଧା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।ଏହି ହସ୍ପିଟାଲ୍ ଜିଲ୍ଲାର ଗୁରୁତର କୋଭିଡ୍ ସଂକ୍ରମିତମାନଙ୍କୁ ଉନ୍ନତ ମାନର ଚିକିତ୍ସା ଯୋଗାଇବାରେ ସହାୟକ ହେବ ଏବଂ ସେମାନେ ଭୁବନେଶ୍ୱର କିମ୍ବା କଟକର ହସ୍ପିଟାଲଗୁଡ଼ିକ ଉପରେ ନିର୍ଭରଶୀଳ ହେବେ ନାହିଁ ।
ଏହି କୋଭିଡ୍ ହସ୍ପିଟାଲକୁ କାର୍ଯ୍ୟକାରୀ କରିବା ନିମନ୍ତେ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ବହନ କରାଯିବ । ଏହି ହସ୍ପିଟାଲ୍ ର ସମସ୍ତ ଶଯ୍ୟାରେ ଅମ୍ଳଜାନ ସଂଯୁକ୍ତ କରାଯିବ, ଏବଂ ଆବଶ୍ୟକତା ଅନୁଯାୟୀ ଏହାର କ୍ଷମତା ବୃଦ୍ଧି କରାଯିବ ବୋଲଇ ମୁଖ୍ୟମନ୍ତ୍ରୀ କହିବା ସହ ଏହି କୋଭିଡ୍ ଯତ୍ନ ସୁବିଧା କେନ୍ଦ୍ର ପାଇଁ ରାଜ୍ୟ ସରକାରଙ୍କୁ ସହଯୋଗ କରିଥିବାରୁ ଭୁବନେଶ୍ୱରର ସମ୍ ହସ୍ପିଟାଲକୁ ଧନ୍ୟବାଦ ଜଣାଇଥିଲେ ।
ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ସାଂସଦ ପିନାକୀ ମିଶ୍ର, ରାଜ୍ୟ ଯୋଜାନା ବୋର୍ଡର ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର, ସମ ହସ୍ପିଟାଲ୍ ର ସୁପରିଟେଣ୍ଡେଂଟ ଡା. ପି. ସାମନ୍ତସିଂହାର ଏହି ଅବସରରେ ଉପସ୍ଥିତ ଥିବାବେଳେ ପୁରୀ ଜିଲ୍ଲାପାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।