ମୁମ୍ବାଇ: କୋରିଓଗ୍ରାଫର ଗୀତା କପୁରଙ୍କ କିଛି ଫଟୋ ଆଜିକାଲି ଚର୍ଚ୍ଚାରେ । ସେଥିରେ ସେ ସିନ୍ଦୁର ଲଗାଇଥିବା ଦେଖାଯାଇଛି । ବିନା ବିବାହରେ ‘ଗୀତା ମା’ଙ୍କୁ ସିନ୍ଦୂର ଲଗାଇଥିବାର ଦେଖି ତାଙ୍କ ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅନେକ ଲୋକ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କୁ ପ୍ରଶ୍ନ କରୁଛନ୍ତି । ବର୍ତ୍ତମାନ ଗୀତା ନିଜେ କହିଛନ୍ତି ଯେ ଏହି ଫଟୋଗୁଡ଼ିକ ଫଟୋସପ୍ ନୁହେଁ ବରଂ ବାସ୍ତବ ଅଟେ । ସେ ସିନ୍ଦୂର ଲଗାଇବାର କାରଣ ମଧ୍ୟ କହିଛନ୍ତି ।
ସେ ପିନ୍ଧିଥିବା ଲାଲ ସିନ୍ଦୂର ଓ ଲାଲ ପରିଧାନ ହେଉଛି ‘ସୁପର ଡାନ୍ସର୍ ୪’ର ସର୍ବଶେଷ ଫଟୋସୁଟ୍ । ଏହି ଏପିସୋଡ୍ ବଲିଉଡର ଏଭରଗ୍ରୀନ୍ ହିରୋଇନମାନଙ୍କ ଉପରେ ଅଛି । ଏଥିରେ ଆମକୁ ସେମାନଙ୍କ ପରି ପ୍ରସ୍ତୁତ ହେବାର ଥିଲା । ମୁଁ ରେଖାଜୀଙ୍କ ପରି ପ୍ରସ୍ତୁତ ହୋଇଥିଲି । ସେ ସିନ୍ଦୂର ଲଗାନ୍ତି,ତେଣୁ ମୁଁ ମଧ୍ୟ ସିନ୍ଦୁର ଲଗାଇଥିଲି ।
ତେବେ ଗୀତାଙ୍କ ସିନ୍ଦୂର ଲଗା ଫଟୋ ଓ ଲାଲ ପରିଧାନ ପାଇଁ ସେ ଗୋପନରେ ବିବାହ କରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ସେ ସୁଟ୍ ପାଇଁ ରେଖାଙ୍କ ବେଶଭୂଷା ଧାରଣ କରିଥିବାରୁ ଲାଲ ପିନ୍ଧିଥିବା କହିଛନ୍ତି ।
ଗୀତା କପୁର ପ୍ରାୟତଃ ସୋ’ରେ କୁହନ୍ତି ଯେ ତାଙ୍କ ମା ତାଙ୍କୁ ଏକ ବିବାହ ବସ୍ତ୍ରରେ ଦେଖିବାକୁ ଚାହାଁନ୍ତି । ତେବେ ୧୨ ଜାନୁୟାରୀ ୨୦୨୧ରେ ଗୀତାଙ୍କ ମା ଦୁନିଆରୁ ବିଦାୟ ନେଇଥିଲେ ସୁଦ୍ଧା ଗୀତାଙ୍କ ବିବାହ ହୋଇପାରିଲାନି ।