Odia News Portal

ଲକଡାଉନ ଓ ଲୋକଙ୍କ ସଚେତନତାକୁ ନବୀନଙ୍କ ଶ୍ରେୟ

ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ – ମୁଖ୍ୟମନ୍ତ୍ରୀ
.ରୋଗୀଙ୍କ ଅବସ୍ଥା ସଂପର୍କରେ ସଂପର୍କୀୟଙ୍କୁ ସଠିକ ସୂଚନା ଦେବାକୁ ନିର୍ଦେଶ
– ଦିନକୁ ୭୦ ହଜାର ଟେଷ୍ଟିଂ କରାଯିବ
– ୩୬୮ଟି ଆଇସିୟୁ ବେଡ୍ ବୃଦ୍ଧି କରାଯିବ
– ରାଜ୍ୟରେ ଆଉ ପ୍ଲାଜମାଥେରାପି କରାଯିବ ନାହିଁ

ଭୁବନେଶ୍ୱର : ରାଜ୍ୟରେ କୋଭିଡ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି ।ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କ ଠାରୁ ଅଧିକ ରହୁଛି । ଗତ ସପ୍ତାହରୁ କେତେକ ଜିଲ୍ଲାରେ ସଂକ୍ରମଣ କମିବା ମଧ୍ୟ ଆରମ୍ଭ କରିଛି । ରାଜ୍ୟରେ ପଜିଟିଭ୍ ହାର ମଧ୍ୟ କମିଛି । ଏ ସବୁ ପାଇଁ ଲକ୍ଡାଉନ ଓ ଲୋକଙ୍କ ମଧ୍ୟରେ ସଚେତନତାକୁ ଶ୍ରେୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଂଧ୍ୟାରେ ରାଜ୍ୟରେ କୋଭିଡ ସ୍ଥିତ ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରିଥିବା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀତା ସହିତ ରୋଗୀଙ୍କ ଅବସ୍ଥା ସଂପର୍କରେ ସଂପର୍କୀୟଙ୍କୁ ସଠିକ ସୂଚନା ଦେବା ଏବଂ ଟିକାକରଣ କେନ୍ଦ୍ରମାନଙ୍କରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏଥିସହ ଆଗାମୀ ସପ୍ତାହ ମଧ୍ୟରେ ଟେଷ୍ଟ ସଂଖ୍ୟା ୭୦ ହଜାରକୁ ବୃଦ୍ଧି କରାଯିବ ବୋଲି ସେ କହିଥିଲେ ।


ବୈଠକରୁ ମିଳିଥିବା ସୂଚନା ଅନୁୁଯାୟୀ ସଂକ୍ରମଣ କମିବାରେ ଲାଗିଛି । ଓଡିଶାରେ ସଂକ୍ରମଣ ମଇ ୧୩ ତାରିଖରେ ସର୍ବାଧିକ ହୋଇଥିଲା ଏବଂ ତା ପରଠାରୁ ଏହା କମିବାରେ ଲାଗିଛି । ଆମର ପଜିଟିଭିଟି ରେଟ୍ ଗତ ସପ୍ତାହରେ ୨୧ ପ୍ରତିଶତ ଥିବାବେଳେ ଏବେ ଏହା ୧୮ ପ୍ରତିଶତକୁ କମିଛି । ଟେଷ୍ଟ ସଂଖ୍ୟା ବୃଦ୍ଧି ପାଇବା ସତ୍ୱେ, ପଜିଟିଭିଟି କମିବା ଏକ ଭଲ ସୂଚନା । ଆଗାମୀ ସପ୍ତାହ ମଧ୍ୟରେ ଟେଷ୍ଟ ସଂଖ୍ୟା ୭୦ ହଜାରକୁ ବୃଦ୍ଧି କରାଯିବ । ମୃତ୍ୟୁହାର ୦.୪୦ରୁ କମି ୦.୩୭ ହୋଇଛି । ଗତ ୧୫ ଦିନର ମୃତ୍ୟୁହାରକୁ ଲକ୍ଷ୍ୟ କଲେ ଏହା ୦.୧୬ ଅଛି, ଯାହାକି ସାରା ଭାରତରେ ସର୍ବନିମ୍ନ । ରାଜ୍ୟରେ ଆଇସିୟୁ ବେଡ୍ ର ସଂଖ୍ୟା ବୃଦ୍ଧି କରାଯାଇଛି ଏବଂ ଖୁବ୍ ଶୀଘ୍ର ଆଉ ୩୬୮ଟି ଆଇସିୟୁ ବେଡ୍ ର ବ୍ୟବସ୍ଥା କରାଯିବ । ରାଜ୍ୟରେ ଆଉ ପ୍ଲାଜମାଥେରାପି କରାଯିବ ନାହିଁ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ଯଦି ସମସ୍ତେ କୋଭିଡ ନିୟମ ମାନି ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲିବା ବନ୍ଦ କରିଦେବା, ତେବେ ଆମେ ନିଶ୍ଚୟ ଏହି ଲଢେଇ ଜିତିପାରିବା । ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ଯୋଗୁ ଅନେକ ପରିବାର ଛାରଖାର ହୋଇଯାଇଛି । ତେଣୁ କୋଭିଡ ମୃତକଙ୍କ ବିଧବା ଏବଂ ବାପା-ମା’ଙ୍କୁ ହରାଇଥିବା ପିଲାମାନେ ଯେପରି ତୁରନ୍ତ ସହାୟତା ପାଇପାରିବେ, ସେଥିପାଇଁ ତୁରନ୍ତ ପଦକ୍ଷେପ ନେବା କୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ । ସେହିପରି ସଂକ୍ରମଣ ରୋକିବାକୁ ମଇ ୨୪ ରୁ ଆରମ୍ଭ ହେବାକୁ ଥିବା ସର୍ଭେ ଯେପରି ସଂପୂର୍ଣ୍ଣ ତ୍ରୁଟିଶୂନ୍ୟ ହେବ, ତାକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ଏଥିରେ ପଂଚାୟତ ଓ ଗାଁ କଲ୍ୟାଣ ସମିତି ମାନଙ୍କୁ ସକ୍ରିୟ ଭାବେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ ।
କୋଭିଡରେ ପୀଡିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସଂପର୍କୀୟ ମାନେ ରୋଗୀଙ୍କ ଅବସ୍ଥା ସଂପର୍କରେ ଯେପରି ସଠିକ ସୂଚନା ପାଇପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ସେଥିପାଇଁ ହେଲ୍ପ ଡେସ୍କ ବ୍ୟବସ୍ଥାରେ ଉନ୍ନତି ଆଣିବା ସହିତ ନିୟୋଜିତ କର୍ମଚାରୀମାନଙ୍କୁ ମାନବିକ ଦୃଷ୍ଟିଭଙ୍ଗୀ ନେଇ କାର୍ଯ୍ୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।


ମୁଖ୍ୟମନ୍ତ୍ରୀ ଟିକାକରଣ କେନ୍ଦ୍ର ମାନଙ୍କରେ ସାମାଜିକ ଦୂରତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।
କୋଭିଡ ସଂକ୍ରମଣ ରୋକିବାରେ ଠିକ୍ ଭାବରେ ମାସ୍କ ପିନ୍ଧିବାର ବିଶେଷ ଗୁରୁତ୍ୱ ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହା ଉପରେ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇ ଥିଲେ ।

ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଆଉ ଦୁଇ ସପ୍ତାହ ପାଇଁ ଏହାର ଅବଧିକୁ ବଢାଯାଇଛି ଏବଂ ଏହାକୁ କଡାକଡି ଭାବରେ କାର୍ଯ୍ୟକାରୀ କରାଯିବ । ରାଜ୍ୟର କୋଭିଡ ପରିସ୍ଥିତି ଉପରେ ଉପସ୍ଥାପନା ରଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କହିଥିଲେ ଯେ ସାରା ଦେଶରେ ବର୍ତମାନ କୋଭିଡ ସଂକ୍ରମଣ କମିବାରେ ଲାଗିଛି ।
ପୋଲିସ ମହାନିଦେ୍ର୍ଦଶକ ଶ୍ରୀ ଅଭୟ ରାଜ୍ୟରେ ଲକ୍ଡାଉନ ଓ ବିଭିନ୍ନ କୋଭିଡ଼ ଗାଇଡଲାଇନର ଅନୁପାଳନ ପାଇଁ ପୋଲିସର ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ଓଡିଶାରୁ ଅନ୍ୟ ରାଜ୍ୟକୁ ବର୍ତମାନ ସୁଦ୍ଧା ୮୬୮ଟି ଟ୍ୟାଙ୍କର ଜରିଆରେ ୧୫୯୧୨ ମେଟ୍ରିକ ଟନ୍ ଅକ୍ସିଜେନ ପଠାଯାଇଛି ବୋଲି ସେ ସୂଚନା ଦେଇଥିଲେ । ଅଗ୍ନିଶମ ସେବା ମହାନିଦେ୍ର୍ଦଶକ ଏମ୍. ଅକ୍ଷୟ କହିଥିଲେ ଯେ ଅଗ୍ନି ସୁରକ୍ଷା ପାଇଁ ୬୨ଟି କୋଭିଡ ହସ୍ପିଟାଲରେ ଅଗ୍ନିଶମ ସେବା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।
ବୈଠକରେ ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର ଅବଜରଭର ଶ୍ରୀ ନିକୁଞ୍ଜ ବିହାରି ଧଳ, କଳାହାଣ୍ଡି-ନୂଆପଡାର ଅବଜରଭର ଶ୍ରୀ ସତ୍ୟବ୍ରତ ସାହୁ, ଅନୁଗୁଳ-ଢେଙ୍କାନାଳର ଅବଜରଭର ଶ୍ରୀ ବିଷ୍ଣୁପଦ ସେଠୀ, ଅନୁଗୁଳ, କେନ୍ଦୁଝର ଓ ମୟୁରଭଂଜର ଜିଲ୍ଲାପାଳ, କଟକ ଓ ଭୁବନେଶ୍ୱର ମ୍ୟୁନିସପାଲ କମିଶନର ମାନେ ସେମାନଙ୍କ ଜିଲ୍ଲାରେ କୋଭିଡ ପରିଚାଳନା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ସଂଚାଳନ କରିଥିଲେ ।