କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ ନିର୍ଦ୍ଦେଶ
*ଘରୋଇ ଓ ସରକାରୀ ଚିକିତ୍ସା କେନ୍ଦ୍ରରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ ।
ଭୁବନେଶ୍ବର: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଚାଲୁଥିବା ସମୟରେ ସଂକ୍ରମଣର ମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।ଆଉ ଏହା ବିଶେଷ କରି ଛୋଟ ପିଲାଙ୍କୁ ଆକ୍ରମଣ କରୁଛି ।ଯାହାର ପ୍ରତିରୋଧ ନିମନ୍ତେ ରାଜ୍ୟ ସରକାର ଶିଶୁଙ୍କ ସୁରକ୍ଷା ନିମନ୍ତେ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଶିଶୁଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ବଢୁଥିବାରୁ କମିଟି ତର୍ଜମା କରିବ। ଡିଏଚଏସ ଓଡିଶାରୁ ଦୁଇ ଜଣ ସଦସ୍ୟ ରହିବେ। ଶିଶୁଙ୍କଠାରେ କରୋନାର କାରଣ ଓ ନିରାକରଣ ବୁଝିବ ଏହି କମିଟି। ଏ ନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରବିବାର ନିର୍ଦ୍ଦେଶାନାମା ଜାରି ହୋଇଛି।
ସେହିଭଳି ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ପାଇଁ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଟିକା ପ୍ରଦାନ ପାଇଁ ୧୨ଜଣିଆ ପରାମର୍ଶଦାତା କମିଟି ଗଠନ କରିଛନ୍ତି ସରକାର । ଡାକ୍ତର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ପରାମର୍ଶଦାତା କମିଟି ଗଠିତ ହୋଇଥିବାବେଳେ ଏହି କମିଟିରେ ଡାକ୍ତର ସିବିକେ ମହାନ୍ତି ରହିଛନ୍ତି ।ସେହିପରି କୋଭିଡରେ କିପରି ଶିଶୁ ସୁରକ୍ଷା ହୋଇପାରିବ ସେନେଇ ମଧ୍ୟ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଏହି କମିଟିରେ ୮ ଜଣ ସଦସ୍ୟ ରହିଛନ୍ତି । ଡିଏମଇଟିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି । ଶିଶୁଙ୍କ କ୍ଷେତ୍ରରେ ସଂକ୍ରମଣ ବଢୁଥିବାରୁ ତର୍ଜମା କରିବ କମିଟି । କରୋନା ମୁକାବିଲା ନେଇ ପରାମର୍ଶ ଦେବ ଗଠିତ ହୋଇଥିବା ଏହି ନୂତନ କମିଟି ।
ସେହିପରି ଆବଶ୍ୟକୀୟ ଭିତ୍ତିଭୂମୀ ସମ୍ପର୍କରେ ମଧ୍ୟ କମିଟି ପରାମର୍ଶ ଦେବ । ଏହାସହ ରାଜ୍ୟର ସବୁ କୋଭିଡ୍ ହସ୍ପିଟାଲ୍ରେ ରାଜ୍ୟ ସରକାର ହେଲ୍ପ ଡେସ୍କ ବାଧ୍ୟତାମୂଳକ କରିଛନ୍ତି । ସମସ୍ତ ଘରୋଇ ଓ ସରକାରୀ ଚିକିତ୍ସା କେନ୍ଦ୍ରରେ ସବୁ ହେଲ୍ପ ଡେସ୍କରେ ଟୋଲ ଫ୍ରି ନମ୍ବର ରହିବ। ହେଲ୍ପ ଡେସ୍କ ଗୁଡିକ ସପ୍ତାହ ସାରା ୨୪ ଘଣ୍ଟା କାର୍ଯ୍ୟ କରିବ। ହେଲ୍ପ ଡେସ୍କର ସୁପରିଚାଳନା ପାଇଁ ସ୍ଵେଚ୍ଛାସେବୀଙ୍କ ସହାୟତା ନିଆଯିବ। ଏ ନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି।