Odia News Portal

ପ୍ରଶାସନ ଶୁଣିଲାନାହିଁ, ପାହାଡ଼ କାଟି ସାତ କିଲୋମିଟର ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ମାଲକାନଗିରି : ଭଲ ରାସ୍ତା ନଥିବାରୁ ଉପଯୁକ୍ତ ଚିକିତ୍ସା ସୁବିଧା ନପାଇ ବିହାର ରାଜ୍ୟ ଗେହଲୁର ଗ୍ରାମର ଦଶରଥ ମାନଝିଙ୍କ ସ୍ତ୍ରୀ ମୃତ୍ୟୁ ବରଣ କରିଥିଲେ । ଏହା ପର ଠାରୁ ମାଝି ନିଜେ ଏକୁଟିଆ ପାହାଡ଼ କାଟି ରାସ୍ତା ନିର୍ମାଣ କରି ମାଉନଟେନ ମ୍ୟାନ ଭାବେ ସମଗ୍ର ଦେଶରେ ପରିଚିତ ହୋଇଥିଲେ ।  ଏଥିରୁ ଅନୁପ୍ରାଣିତ ହୋଇ ପ୍ରଶାସନର ସହାୟତା କୁ ଅପେକ୍ଷା ନକରି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କୁଟୁନିପାଲି ପଞ୍ଚାୟତର ଲୋକ ମାନେ ଦୀର୍ଘ ୭ କିଲୋମିଟର ପାହାଡ଼ କାଟି କୋରାପୁଟ ଜିଲ୍ଲାର ବୈପାରୀଗୁଡା ବ୍ଲକ ସୀମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରି ଅନ୍ୟ ଗ୍ରାମବାସୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । 

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଅନେକ ଗାଁକୁ ଆଜିପର୍ଯ୍ୟନ୍ତ ଭଲ ରାସ୍ତା ଟିଏ ନାହିଁ ।  ଫଳରେ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କୁ ଗୁହାରି କରିବା ପରେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ପାହାଡ଼ ପର୍ବତ ଚାରି ଆଡେ ଘେରି ରହିଥିବାରୁ ପଞ୍ଚାୟତର ଲୋକଙ୍କୁ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକର ଗୁପ୍ତେଶ୍ୱର, ଦଣ୍ଡାବାଡ଼ି, ରାମଗିରି ଗ୍ରାମରେ ବସୁଥିବା ସାପ୍ତାହିକ ହାଟକୁ ନିଜ ଉତ୍ପାଦିତ ପନିପରିବା କିମ୍ବା ଜଙ୍ଘଲ ଜାତ ଦ୍ରବ୍ୟ କୁ ବିକ୍ରୀ ପାଇଁ ନେବାରେ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିଲେ ।  ବର୍ତମାନ ସମୟରେ  କରୋନା ମହାମାରୀ ଚାଲିଥିବାରୁ ଗ୍ରାମବାସୀ କୁଆଡେ କାମକୁ ନଯାଇ ଗାଁରେ ରହିଛନ୍ତି ।  ଏହି ସମୟର ସଦୁପଯୋଗ କରିବା ପାଇଁ ଗାଁ ରେ ଏକ ବୈଠକ କରାଯାଇ କୁଟୁନିପାଲି ପଞ୍ଚାୟତ ସଦର ମହକୁମା ଠାରୁ ବୈପାରୀଗୁଡା ବ୍ଲକ ସୀମା ପର୍ଯ୍ୟନ୍ତ ରାସ୍ତା ଶ୍ରମଦାନ କରି ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।  ଉକ୍ତ ନିଷ୍ପତ୍ତି ଅନୁଯାୟୀ ଗ୍ରାମର ସମସ୍ତ ପୁରୁଷ ଲୋକ ଏକାଠି ହୋଇ  ହାତରେ କୋଡ଼ି, କୋଦାଳ, ଧରି ନିଜ ଯାତାୟାତର ସୁବିଧା ପାଇଁ ରାସ୍ତା ନିର୍ମାଣ କରିବାରେ ଲାଗିପଡ଼ିଥିଲେ । ଶେଷରେ ସେମାନେ ଦୀର୍ଘ ସାତ କିଲୋମିଟର ପାହାଡ଼କୁ କାଟି ରାସ୍ତା କରିବାରେ ସଫଳ ହୋଇଥିଲେ ।  ଏହି ରାସ୍ତା ନିର୍ମାଣ ହେବା ପରେ ଗ୍ରାମବାସୀ ଅକ୍ଳେଶରେ ବୈପାରୀଗୁଡା ବ୍ଲକର ବିଭିନ୍ନ ହାଟ ଓ ଗାଁ କୁ ଯିବାଆସିବା କରିପାରୁଥିବା ଦେଖିବାକୁ ମିଳିଛି ।