ଭୁବନେଶ୍ୱର : ଲକ୍ଡାଉନ୍ ଓ ସଟ୍ଡାଉନ୍ରେ ରାଜଧାନୀବାସୀ ମାଛ ଓ କ୍ଷୀର ଟିକେ ପାଇଁ ଜୀବନକୁ ପାଣିଛଡାଇ ଘର ବାହାରୁଥିବାବେଳେ ଏଭଳି ସମୟରେ ଲୋକଙ୍କ ଦୁଆର ମୁହଁରେ ମାଛ ଓ କ୍ଷୀର ଯୋଗାଣ ପାଇଁ କିଣା ଯାଇଥିବା ଗାଡି ଗୁଡିକର ଦେଖାଦର୍ଶନ ମିଳୁନାହିଁ । ଏଗୁଡିକ ଏବେ କୁଆଡେ ଗଲା ବୋଲି ରାଜଧାନୀବାସୀ ପ୍ରଶ୍ନ କରୁଛନ୍ତି ।ଗତବର୍ଷ କରୋନା ମହାମାରୀ ସମୟରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଦୀର୍ଘଦିନ ଧରି ଜାରି ହୋଇଥିଲା । ସେତେବେଳେ ଲୋକେ କ୍ଷୀର ଓ ମାଛ ଟିକେ ପାଇବାକୁ ହାଇଁପାଇଁ ହୋଇଥିଲେ । ପରିସ୍ଥିତିକୁ ଦେଖି ଓମ୍ଫେଡ୍ କର୍ତ୍ତୃପକ୍ଷ ମିଲ୍କ କାର୍ଟ ପ୍ରସ୍ତୁତ କରିଥିଲେ । ଗାଡି ଗୁଡିକ ମାଧ୍ୟମରେ ଲୋକଙ୍କ ଘର ଆଗରେ କ୍ଷୀର ଓ ଅନ୍ୟ ଦୁଗ୍ଧଜାତ ଦ୍ରବ୍ୟ ଯୋଗାଇବାପାଇଁ ବ୍ୟବସ୍ଥା ହୋଇଥିଲା । ବହୁ ଆଡମ୍ବରରେ ଏହାର ଶୁଭାରମ୍ଭ ସହିତ ଲୋକେ ବି ସେବା ପାଇଥିଲେ । ହେଲେ ଏହାପରେ ଏହି କାର୍ଟର ଆଉ ଦେଖାଦର୍ଶନ ମିଳିଲା ନାହିଁ ।
ବର୍ତ୍ତମାନ ଲକଡାଉନ୍ ସମୟରେ ଲୋକେ କ୍ଷୀର ଟିକେ ପାଇବାପାଇଁ ହନ୍ତସନ୍ତ ହେଉଥିବାବେଳେ ମିଲ୍କ କାର୍ଟର ଦେଖାଦର୍ଶନ ମିଳୁନାହିଁ । ମିଳ୍ପକାର୍ଟ ବଦଳରେ ଓମ୍ଫେଡ୍ କର୍ତ୍ତୃପକ୍ଷ କିଛି ବେପାରୀଙ୍କ ସହଯୋଗରେ କ୍ଷୀର ଯୋଗାଣ ପାଇଁ ବ୍ୟବସ୍ଥା କରିଛନ୍ତି । ତେବେ ସର୍ତ୍ତ ହେଉଛି ଗ୍ରାହକ ଅତି କମ୍ରେ ୪୦୦ ଟଙ୍କାର ଓମ୍ଫେଡ୍ ସାମଗ୍ରୀ ପାଇଁ ବରାଦ କରିବେ ଓ ବାଟଖର୍ଚ୍ଚ ବାବଦରେ ୫୦ ଟଙ୍କା ଦେବେ । ଏହାକୁ ଦେଖି ଯିଏ ଅଧାଲିଟର କିମ୍ବା ଲିଟେରେ କ୍ଷୀର କିଣିବାକଥା ସିଏ କାନମୁଣ୍ଡା ଆଉଁଷି ରହୁଛି । ଲକ୍ଡାଉନ୍ ସମୟରେ କୌଣସି ପ୍ରକାରେ କ୍ଷୀର ଟିକେ ଯୋଗାଡ ହୋଇଯାଉଥିବାବେଳେ ସଟ୍ଡାଉନ୍ରେ କିନ୍ତୁ ଛୋଟପିଲା, ରୋଗୀ ଓ ବୟସ୍କଙ୍କ ପାଇଁ କ୍ଷୀର ମିଳୁନାହିଁ ।
ଅନୁରୂପ ଅବସ୍ଥା ଫିସ୍ କାର୍ଟ ର । ଗତବର୍ଷ ଫିସ୍ଫେଡ୍ କର୍ତ୍ତୃପକ୍ଷ ଲୋକଙ୍କ ହାତ ପାଆନ୍ତାରେ ମାଛ ଯୋଗାଇବାପାଇଁ ଆରମ୍ଭ କରିଥିଲେ ଫିସ୍କାର୍ଟ ଯୋଜନା । ବହୁ ଆଡମ୍ବରରେ ଏହାର ଶୁଭରମ୍ଭ ହୋଇଥିଲା । ଧାଡିକି ଧାଡି ଗାଡିର ଫଟୋ ଗଣମାଧ୍ୟମର ଶିରୋନାମା ପାଲଟିଥିଲା । ହେଲେ ମିଲ୍କ କାର୍ଟ ଭଳି ଏହାର ବି ଆଉ ଲୋକେ ଦେଖାଦର୍ଶନ ପାଇଲେ ନାହିଁ । ସବୁଠାରୁ ମଜାର କଥା ହେଲା ଏହି ଦୁଇଟି ସଂସ୍ଥା ଜଣେ ମନ୍ତ୍ରୀଙ୍କ ହାତରେ ରହିଛି । ତେବେ କରୋନା କାଳରେ ଏମାନଙ୍କର ଦେଖା ଦର୍ଶନ ନଥିବାବେଳେ ବିଭାଗ କିମ୍ବା ମନ୍ତ୍ରୀ ଏହି ଗାଡିଗୁଡିକ କୁଆଡେ ଗଲା ତାହା ଖୋଜ ଖବର ନେଉ ନାହାନ୍ତି ।
ଏହି ଦୁଇଟି ଜରୁରୀ ସାମଗ୍ରୀ ମିଳୁନଥିବାରୁ ଲୋକେ ବାଧ୍ୟହୋଇ ଘରୁ ବାହାରି ବଜାରରେ ଗହଳି କରୁଛନ୍ତି । ମାଛ ଦୋକାନ ଆଗରେ ହାଉଯାଉ ହେବାବେଳେ କ୍ଷୀର ଟିକେ ପାଇଁ ଘର ଠାରୁ ଦୂରକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏହି ସମୟରେ ଯଦି କାର୍ଟ ଗୁଡିକର ଦେଖାନାହିଁ, ତେବେ ଏଗୁଡିକୁ କିଏ କେତେ ଟଙ୍କାରେ କାହିଁକି କିଣିଥିଲା ତାହାର ହିସାବ ତୁରନ୍ତ ଲୋକଙ୍କ ଆଗରେ ରଖିବା ଆବଶ୍ୟକ ହେଉଛି ।