Odia News Portal

ଫିସ୍‌ ଦେଲେ କ୍ଲିନିକରେ ରୋଗୀଙ୍କୁ ପାଖରେ ବସାଇ ଚିକିତ୍ସା

*ସରକାରୀ ଡାକ୍ତରଖାନାରେ ଅଛୁଆଁ ।

ଭୁବନେଶ୍ୱର : କରୋନା ଏବେ କିଛି ଡାକ୍ତରଙ୍କ ଆୟ ବଢାଇ ଦେଇଛି । କରୋନା ଭୟରେ ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଅନେଇକି ଓ ରୋଗ କଥା ଶୁଣି ଔଷଧ ଲେଖୁଥିବା ଅନେକ ଡାକ୍ତର କିନ୍ତୁ ନିଜ ନିଜ କ୍ଲିନିକ କିମ୍ବା ଯାଉଥିବା ନର୍ସିଂହୋମ୍‌ରେ ରୋଗୀ ପରୀକ୍ଷାରେ ହେଳା କରୁନାହାନ୍ତି । ସେଠାରେ ରୋଗୀଟି ଫିସ୍‌ ଦେଉଥିବାରୁ ତାହା ଦେଖରେ ହାତମାରି ପାଖରେ ବସେଇ ପରୀକ୍ଷା ନିରୀକ୍ଷା କରୁଛନ୍ତି ।

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଚିକିତ୍ସା ଦେଖବାକୁ ମିଳୁଛି । କରୋନାର ଦ୍ୱିତୀୟ ଲହର ସମୟରେ ଆବଶ୍ୟକ ସ୍ଥଳେ ସରକାରୀ ଡାକ୍ତରଖାନାକୁ ଯାଉଥିବା ରୋଗୀଙ୍କୁ କେତେକ ଡାକ୍ତର ଦୂର ଦୂର ମାର ମାର କରୁଛନ୍ତି । ନିଜେ ପିପିଇ କିଟ୍‌ ପିନ୍ଧି ବସିବା ସହିତ କବାଟ ପାଖରେ ସୁତୁଲି ବାନ୍ଧି ଦେଉଛନ୍ତି । କୌଣସି ପ୍ରକାରେ ଟିକଟିକୁ ନେଇ ଜୁନିୟର ପିଲାଙ୍କ ଦ୍ୱାରା ଔଷଧ ଲେଖୁଛନ୍ତି ନହେଲେ ପୁରୁଣା ଔଷଧକୁ ନିୟମିତ କରିବାକୁ କହି ଛାଡୁଛନ୍ତି । ଡାକ୍ତରଙ୍କ ଏଭଳି କାରବାର ଦେଖି ଏବେ ଅନେକ ରୋଗୀ ସରକାରୀ ଡାକ୍ତରଖାନାକୁ ଯିବାପାଇଁ ମଙ୍ଗୁ ନାହାନ୍ତି ।ତେବେ ସରକାରୀ ଡାକ୍ତରଖାନାରେ କୋଭିଡ ପାଇଁ ନାନା ସୁରକ୍ଷା ଅବଲମ୍ବନ କରୁଥିବା କିଛି ଡାକ୍ତର କିନ୍ତୁ ନିଜ କ୍ଲିନିକ କିମ୍ବା ଯାଉଥିବା ନର୍ସିଂହୋମ୍‌ରେ ଭିନ୍ନ ଆଚରଣ କରୁଛନ୍ତି ।

ରୋଗୀଠାରୁ ୪୦୦/୫୦୦ ଟଙ୍କା ଫିସ୍‌ ପାଇଲାପରେ ସାନିଟାଇଜର ଯୋଗାଇବା ସହିତ ପାଖରେ ବସାଇ ଚିକିତ୍ସା କରୁଛନ୍ତି । ରୋଗ ସଂକ୍ରାନ୍ତରେ ଟିକିନିଖି ବୁଝୁଛନ୍ତି । ରୋଗୀଟି ମାନସିକ ସ୍ତରରେ ଯେଭଳି ସୁଦୃଢ ହେବ ସେ ସଂକ୍ରାନ୍ତରେ ଉପଦେଶ ଦେଉଛନ୍ତି । ହେଲେ ସରକାରୀ ଡାକ୍ତରଖାନାରେ କିନ୍ତୁ ଭିନ୍ନ ଆଚରଣ ।ସରକାରୀ ଡାକ୍ତରଖାନାରେ ଏଭଳି ଆଚରଣ ଓ ଉଚାରଣ ଦେଖି ଅନେକ ରୋଗୀ ଏବେ ଡାକ୍ତରଙ୍କ କ୍ଲିନିକ ମୁହାଁ ହେବାରେ ଲାଗିଛନ୍ତି । କରୋନା କାଳରେ ସାମାନ୍ୟ ରୋଗ ପାଇଁ ବି ଶହ ଶହ ଟଙ୍କା ଫିସ୍‌ ଗଣୁଛନ୍ତି । ତେଣୁ ରାଜ୍ୟ ସରକାର ଅତି କମ୍‌ରେ ଏଭଳି ଡାକ୍ତରଙ୍କ ଉପରେ କଡା ନଜର ରଖିବାକୁ ମତପ୍ରକାଶ ପାଉଛି । ବିଶେଷକରି ଯେଉଁ ଡାକ୍ତରମାନେ କରୋନାକୁ ଆଳକରି ସରକାରୀ ଡାକ୍ତରଖାନାକୁ ଆସୁନାହାନ୍ତି ଓ ଯଦି ଆସୁଛନ୍ତି ହାତଗଣତି କେତୋଟି ରୋଗୀ ଦେଖି ଖସୁଛନ୍ତି ସେମାନେ ଦିନ ସାରା କଣ କରୁଛନ୍ତି ସେ ସଂକ୍ରାନ୍ତରେ ଖୋଳତାଡ ହେଲେ ଅନେକ ଡାକ୍ତରଙ୍କ ଅସଲ ଚେହେରା ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।