Odia News Portal

ପେଟ ପାଇଁ ସଂଘର୍ଷ: ମହୁଲ ଗୋଟାଉଛି ରୌପ୍ୟ ପଦକ ବିଜେତା

ଭୁବନେଶ୍ୱର: ଗତ କିଛି ବର୍ଷରେ କ୍ରୀଡ଼ା କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ରୁ ବିଭିନ୍ନ ଖେଳାଳି ରାଜ୍ୟ ଓ ଜାତୀୟ ସ୍ତରରେ ନିଜର ଛାପ ଛାଡିଥିବା ଦେଖିବାକୁ ମିଳିଛି । ତେବେ ଆଦିବାସୀ ଅଧୁଷିତ ଅଞ୍ଚଳ , ଉପଯୁକ୍ତ ଭିତ୍ତିଭୂମି ଅଭାବ ସହ ଗରିବ ରେଖା ତଳେ ରହିଥିବା ଅନେକ ଖେଳାଳୀ ନିଜ ଖେଳରୁ ଦୁରେଇ ପେଟ ପାଇଁ ସଂଘର୍ଷ କରି ଦିଗହରା ହେଉଛନ୍ତି । ଉନ୍ନତ ଖେଳାଳୀ ହୋଇଥିଲେ ସୁଦ୍ଧା ନିଜର ଖେଳର ମାନ ଦିନକୁ ଦିନ ଉନ୍ନତ କରିବା ପରିବର୍ତ୍ତେ ପାରିବାରିକ ଦାୟିତ୍ୱ ଓ ପେଟ ପାଇଁ ଦାନା ଯୋଗାଡ କରିବାରେ ନିଜକୁ ବ୍ରତୀ କରିପକାଉଛନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କାଲିମେଳା ବ୍ଲକ ମାଲାବରମ ଗ୍ରାମରେ ।

ଏହି ଗ୍ରାମର ଏରା ତାତି ନାମକ ଜଣେ ୧୫ ବର୍ଷୀୟ ଆଦିବାସୀ ଯୁବକ ୨୦୧୯-୨୦ ମସିହାରେ ମଧ୍ୟପ୍ରଦେଶ ର ଉଜ୍ବେନ୍ ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ବିଦ୍ୟାଳୟ ସ୍ତରୀୟ ତୀରନ୍ଦାଜରେ ରୌପ୍ୟ ପଦକ ଜିତି ମାଲକାନଗିରି ଜିଲ୍ଲା ପାଇଁ ଜାତୀୟ ସ୍ତରରେ ଗୌରବ ଆଣିଥିଲେ । ତେବେ ବର୍ତ୍ତମାନ ଏରା ପେଟ ପାଇଁ ସଂଘର୍ଷ କରି ନିଜର ଗ୍ରାମକୁ ଫେରି ମହୁଲ ଗୋଟାଇବା ସହ ଏହାକୁ ନିକଟସ୍ଥ ବଜାରରେ ବିକ୍ରି କରି ଦୈନିକ ଗୁଜୁରାଣ ମେଣ୍ଟାଉଥିବା ଦେଖିବାକୁ ମିଳିଛି। ନିଜ ସହ ଅନ୍ୟ ଦୁଇ ଭାଇ ଭଉଣୀଙ୍କ ପେଟକୁ ଦି ମୁଠା ଦାନା ଯୋଗାଇବା ପାଇଁ ନିଜର ସ୍ୱପ୍ନ କୁ ବଳି ଦେଇ ଆଦିବାସୀ ଅଧ୍ୟୁଷିତ ନିଜର ପୈତୃକ ଗ୍ରାମ ମାଲାବରମକୁ ଫେରି ଯାଇଛନ୍ତି ଏରା । ଏରା ଙ୍କ ବାପା ବୋଜା ତାତେ ପ୍ରାୟ ୮ବର୍ଷ ପୂର୍ବେ ଆନ୍ଧ୍ରପ୍ରଦେଶ କାମ କରିବାକୁ ଯାଇ ଆଜି ପର୍ଯ୍ୟନ୍ତ ନିଖୋଜ ରହିଥିବା ବେଳେ ମା ଜିଇ ତାତି ଗତ ୩୧ ତାରିଖ ଦିନ ରୋଗ ଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିଲେ ।

ମାଙ୍କ ଶେଷ କୃତ୍ୟ କାମ ସାରିବାକୁ ଆସି ଏରା ନିଜ ଅନ୍ୟ ଦୁଇ ଭାଇ ଭଉଣୀ ସହ ଗ୍ରାମରେ ରହି ନିଜର ଭବିଷ୍ୟତକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି । ନିଜ ପରିବାରରେ ଅନ୍ୟ କେହି ନଥିବାରୁ, ବଡ଼ ଭାଇ ଗଙ୍ଗା ତାତି ଏବଂ ଭଉଣୀ ଭିମେଙ୍କ ସହ ଏରା କଷ୍ଟେମଷ୍ଟେ ଚଳୁଛନ୍ତି। ଦି ଓଳି ଖାଇବା ପାଇଁ ଦାନା ଯୋଗାଡ ପାଇଁ ତିନି ଭାଇ ଭଉଣୀ ମହୁଲ ଗୋଟେଇବା ସହ ତାକୁ ନିକଟସ୍ଥ ବଜାରରେ ବିକ୍ରି କରି ଯେଉଁ ପଇସା ପାଆନ୍ତି, ସେଥିରେ ଦୈନଦିନ ଖର୍ଚ୍ଚ ଚଳାଉଛନ୍ତି। ପ୍ରତିଭାବାନ ଏରା ଜିଲ୍ଲା , ରାଜ୍ୟ ରେ ସଫଳତା ସହ ଜାତୀୟ ସ୍କୁଲ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିବାରେ ସଫଳ ହୋଇଥିଲେ । ଏରା ର ଏଭଳି ସ୍ଥିତି ପ୍ରତି ସରକାର ଦୃଷ୍ଟି ଦେଇ ଆର୍ଥିକ ସହାୟତା ପ୍ରଦାନ କରିବା ସହ ତିନି ଭାଇ ଭଉଣୀଙ୍କ ଥଇଥାନ ଦିଗରେ ଧ୍ୟାନ ଦେବାକୁ ସ୍ଥାନୀୟ ୱାର୍ଡ ମେମ୍ବର, ସରପଞ୍ଚ ଓ ଅଞ୍ଚଳବାସୀ ଦାବି କରିଛନ୍ତି ।