ଭୁବନେଶ୍ୱର: ଦେଶରେ ସଂକ୍ରମଣ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଥିବା ସମୟରେ ଏବେ ଚିନ୍ତା ବଢ଼ାଇଛି ଟ୍ରିପଲ ମ୍ୟୁଟାଣ୍ଟ ବା ବଙ୍ଗ ଭୁତାଣୁ । ଅର୍ଥାତ ପୂର୍ବ ତିନୋଟି ଷ୍ଟ୍ରେନ୍ ମିଳିତ ହୋଇ ଏକ ନୂତନ ଷ୍ଟ୍ରେନ୍ ବା ଟ୍ରିପଲ ମ୍ୟୁଟେସନ ସୃଷ୍ଟି ହୋଇଛି । ଯାହା ଡବଲ ମ୍ୟୁଟାଣ୍ଟ ତୁଳନାରେ ବହୁ ଅଧିକ କ୍ଷତିକାରକ । ବିଶେଷ କରି ପଶ୍ଚିମବଙ୍ଗରେ ଏହି ପ୍ରକାର ଭୂତାଣୁ ଅଧିକ ଚିହ୍ନଟ ହୋଇଛି । ଏହାର ନାମକରଣ ହୋଇଛି- ବି-୧- ୬୧୮ । ଏହା ପୂର୍ବରୁ ଭାରତରେ ଏକ ଡବଲ ମ୍ୟୁଟାଣ୍ଟ ଭୂତାଣୁ ଚିହ୍ନଟ ହୋଇଥିଲା । ଯାହାର ନାମକରଣ କରାଯାଇଥିଲା- ବି-୧- ୬୧୭ । ତେବେ ଚିନ୍ତାଜନକ କଥା ଏହିକି ଯେ ପଶ୍ଚିମବଙ୍ଗରୁ ସୃଷ୍ଟି ହୋଇଥିବା ଏହି ଟ୍ରିପଲ ମ୍ୟୁଟାଣ୍ଟ ବା ବଙ୍ଗ ଭୁତାଣୁ ଆକ୍ରାନ୍ତଙ୍କ ଶରୀରରେ ଇମ୍ୟୁନୋ ସିଷ୍ଟମକୁ ଅତ୍ୟଧିକ ପ୍ରଭାବିତ କରୁଛି। ଯାହା ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ପଡୋଶୀ ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି |
ଡବଲ ମ୍ୟୁଟାଣ୍ଟ ପାଇଁ ଦେଶରେ ହାହାକାର ସ୍ଥିତି ଉପୁଜିଥିବା ବେଳେ ନୂଆ ମ୍ୟୁଟାଣ୍ଟକୁ ପ୍ରତିହତ କରିବା ସହଜ ନୁହେଁ ବୋଲି ବିଶେଷଜ୍ଞ କହିଛନ୍ତି। ଅନ୍ୟପଟେ ଏହି ବେଙ୍ଗଲ ଷ୍ଟ୍ରେନ ଓଡ଼ିଶାକୁ ମଧ୍ୟ ବ୍ୟାପିବା ଆଶଙ୍କା ରହିଛି। ଯଦି ଏହି ମ୍ୟୁଟାଣ୍ଟ ଓଡ଼ିଶାକୁ ବ୍ୟାପେ ତାହେଲେ ଏହା ବହୁ କ୍ଷତି ଘଟାଇବ ବୋଲି ସତର୍କ କରାଇଛନ୍ତି ଜେନମ ମ୍ୟୁଟେସନ ବିଶେଷଜ୍ଞ। ଏହା ଦ୍ରୁତ ଗତିରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବ୍ୟାପୁଛି । ତେବେ ଚିହ୍ନଟ ହୋଇଥିବା ଟ୍ରିପଲ ମ୍ୟୁଟାଣ୍ଟ ଅଧିକ ସାଂଘାତିକ ବୋଲି କୁହାଯାଉଛି । କାରଣ ଏହା କରୋନା ବିରୋଧୀ ସୁରକ୍ଷା ବଳୟକୁ ଭେଦ କରିବାକୁ ସମର୍ଥ । ଅର୍ଥାତ ଶରୀରରେଆଣ୍ଟିବଡ଼ି ତିଆରି ହୋଇଥିଲେ ମଧ୍ୟ ଏହି ପ୍ରକାର ଭୂତାଣୁ ଦ୍ୱାରା ସଂକ୍ରମଣ ହୋଇପାରେ । ସେହିପରି କରୋନା ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଏହି ପ୍ରକାର ଭୂତାଣୁ ସଂସ୍ପର୍ଷରେ ଆସିଲେ କରୋନା ଆକ୍ରାନ୍ତ ହୋଇପାରନ୍ତି ।