Odia News Portal

ଦ୍ୱିତୀୟ ଲହରରେ ନେଗେଟିଭ୍ ରିପୋର୍ଟ ଯଥେଷ୍ଟ ନୁହେଁ

ନୂଆଦିଲ୍ଲୀ : ସଂପ୍ରତି ସାରା ଦେଶରେ କରୋନାର ଦ୍ୱିତୀୟ ଲହରୀ ଆତଙ୍କ ଖେଳାଇ ଦେଇଛି । ଜନସାଧାରଣଙ୍କୁ କରୋନାରୁ ଦୂରେଇ ରଖିବା ପାଇଁ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ନେଉଛନ୍ତି । ଗତବର୍ଷ ଅପେକ୍ଷା ଦ୍ୱିତୀୟ ଲହର କ୍ଷୀପ୍ର ବେଗରେ ମାଡ଼ି ଚାଲିଥିବାବେଳେ ଏହାର ଲକ୍ଷଣ ମଧ୍ୟ ଭିନ୍ନ ରହିଛି ।

ଦ୍ୱିତୀୟ ପ୍ରବାହରେ ଲୋକଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଉଥିଲେ ମଧ୍ୟ ସେମାନଙ୍କରଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ବାହାରୁଛି । ଯାହା ଫଳରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ  ମାନଙ୍କ ପାଇଁ ଏହା ଆଉ ଏକ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅର୍ଥାତ୍ ବର୍ତ୍ତମାନ ସମୟରେ କରୋନା ସଂକ୍ରମଣକୁ ଟେଷ୍ଟ ଯୋଗେ ସଂପୂର୍ଣ୍ଣ ରୂପେ ଚିହ୍ନଟ କରାଯାଇପାରୁନାହିଁ । ଡବଲ୍ ମ୍ୟୁଟାଣ୍ଟ ଭୂତାଣୁର କିଛି ଅସାମାନ୍ୟ ଲକ୍ଷଣ ଅଛି ।

ନୂଆ ଲକ୍ଷଣ ବିଷୟରେ କେତେଗୁଡିଏ ତଥ୍ୟ ।

ଯଦି ଆପଣଙ୍କ ଗଳା କୁଣ୍ଡେଇ ହେବା, ଗଳା ଫୁଲିଯିବା କିମ୍ବା ଯନ୍ତ୍ରଣା ଅନୁଭବ କରୁଛନ୍ତି । ତେବେ ଏହା କୋଭିଡର ଅନ୍ୟ ଏକ ଲକ୍ଷଣ ମଧ୍ୟ ହୋଇପାରେ | ସମଗ୍ର ବିଶ୍ୱରେ ପ୍ରାୟ ୫୨ ପ୍ରତିଶତ କରୋନା ରୋଗରେ ଗଳା ଯନ୍ତ୍ରଣା ପରି ଲକ୍ଷଣ ଦେଖାଯାଉଛି। ବ୍ରିଟେନର ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା ହେଲେ ଅନେକ ରୋଗୀଙ୍କ ଠାରେ ଦୁର୍ବଳତା ତଥା କ୍ଲାନ୍ତି ଭଳି ସମସ୍ୟା ଦେଖାଯାଏ।

ଡାକ୍ତରଙ୍କ ଅନୁଯାୟୀ, କରୋନା ପଜିଟିଭ ଚିହ୍ନଟ ହୋଇଥିବା ଅନେକ ରୋଗୀଙ୍କ ଶରୀରରେ ଯନ୍ତ୍ରଣା, ଗଣ୍ଠି ଯନ୍ତ୍ରଣା ଏବଂ ମାଂସପେଶୀ ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଉଛି । ଏହାର ଏକମାତ୍ର କାରଣ ହେଉଛି କରୋନା ଭୂତାଣୁ ମାଂସପେଶୀରେ ଥିବା ତନ୍ତୁ ଏବଂ ଟିସୁ ସ୍ତର ଉପରେ ମଧ୍ୟ ଆଟାକ୍ କରିଥାଏ । ଯାହା ଫଳରେ ଶରୀରରେ ଯନ୍ତ୍ରଣା ସୃଷ୍ଟି ହୋଇଥାଏ । କୋଭିଡ ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ବାନ୍ତି ଭଳି ଏକ ଲକ୍ଷଣ ଦେଖାଯାଉଛି । କୋଭିଡ ସଂକ୍ରମଣ ହେତୁ ମୁଣ୍ଡ ବୁଲାଇବା, ଥକାପଣ, ପାଟିରୁ ଲାଳ ନବାହାରିବା ଏବଂ ବାନ୍ତି ଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅନେକ ଲୋକ ପ୍ରକାଶ କରିଛନ୍ତି । ଚର୍ମରେ ଦାଗ, ଜିଭରେ ଦାଗ, ପାଟିରେ ଘା’ କିମ୍ବା ମୁଣ୍ଡବିନ୍ଧିବା ଭଳି ସମସ୍ୟା ମଧ୍ୟ କୋଭିଡ-୧୯ର ଅନ୍ୟତମ ଲକ୍ଷଣ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଯଦି ଆପଣ ମାନେ ମଧ୍ୟ ଶରୀରରେ ଏହିସବୁ ଲକ୍ଷଣ ଗୁଡ଼ିକ ଦେଖୁଛନ୍ତି ତେବେ ଭୟଭୀତ ହୁଅନ୍ତୁ ନାହିଁ । ସଙ୍ଗେସଙ୍ଗେ ଯାଇ କରୋନା ଟେଷ୍ଟ କରାଇ ନିଅନ୍ତୁ ।