Odia News Portal

କଟକଣା ଭିତରେ ଗଡ଼ିବ ରୁକୁଣା ରଥ

*ଅପରାହ୍ନ ୧୨ଟାରୁ ରଥ ଖଳାରେ ୧୪୪ ଧାରା ଲାଗୁ |
*ଦିନ ସାଢ଼େ ଗୋଟାଏ ସୁଦ୍ଧା ପହଣ୍ଡି ସାରି ଠାକୁର ରଥାରୂଢ଼ ହେବେ |
*ଚାର ଖୋଲା ହୋଇ ସାଢ଼େ ୩ଟାରେ ରଥ ମାଉସୀ ମା’ ଅଭିମୁଖେ ଗଡ଼ିବ |

ଭୁବନେଶ୍ୱର: କରୋନା କଟକଣା ଭିତରେ ଆଜି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଆୟୋଜିତ ହେବାକୁ ଯାଉଛି। ତେବେ ବିନା ଭକ୍ତରେ କମ୍ ସଂଖ୍ୟକ ପୋଲିସ ଓ ସେବାୟତରେ ହେବ ରଥଯାତ୍ରା । ତେବେ ରଥଯାତ୍ରାକୁ ନଜରରେ ରଖାଯାଇ ଅପରାହ୍ନ ୧୨ଟାରୁ ରଥ ଖଳାରେ ୧୪୪ ଧାରା ଲାଗୁ କରାଯିବ।

ସେହିଭଳି ଦିନ ସାଢ଼େ ଗୋଟାଏ ସୁଦ୍ଧା ପହଣ୍ଡି ସାରି ଠାକୁର ରଥାରୂଢ଼ ହେବେ। ରଥ ବିଜେସ୍ଥଳୀରେ ଠାକୁରଙ୍କ ପୂଜାର୍ଚ୍ଚନା ନୀତି କାର୍ଯ୍ୟ ଦେଢ଼ ଘଣ୍ଟା ମଧ୍ୟରେ ସାରି ରଥ ଟଣା ପ୍ରସ୍ତୁତି ଆରମ୍ଭ ହେବ। ଚାର ଖୋଲା ହୋଇ ସାଢ଼େ ୩ଟାରେ ରଥ ମାଉସୀ ମା’ ଅଭିମୁଖେ ଗଡ଼ିବ। ରାମେଶ୍ୱର ମନ୍ଦିରରେ ରଥ ୭ଟାରୁ ସାଢ଼େ ୭ଟାରେ ଲାଗିବ। କିଛି ସମୟ ମଧ୍ୟରେ ମହାପ୍ରଭୁ ରଥରୁ ରାମେଶ୍ୱର ମନ୍ଦିର ବିଜେସ୍ଥଳୀରେ ବିଜେ କରିବେ । ୨୪ ତାରିଖ ଦିନ ଠାକୁର ପୁଣି ରଥରେ ବିଜେ କରି ମନ୍ଦିରକୁ ବାହୁଡ଼ିବେ ।

ରଥଯାତ୍ରାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।ତେବେ ଟ୍ରାଫିକ୍ କଟକଣା ଅନୁଯାୟୀ ମାଉସୀ ମା ଛକଠାରୁ ରଥ ରୋଡରେ ଯିବାକୁ କୌଣସି ଗାଡିକୁ ଅନୁମତି ଦିଆଯିବ ନାହିଁ। ସବୁ ଗାଡ଼ି ଗୁଡ଼କ ମାଉସୀ ମା ଛକଠାରୁ ମ୍ୟୁଜିୟମ ଛକ ଆଡ଼କୁ କିମ୍ବା ବିବେକାନନ୍ଦ ମାର୍ଗ ରାସ୍ତାରେ ଯିବା ଆସିବା କରିପାରିବେ। ରଥ ଖଳାଠାରୁ ରଥ ରୋଡରେ କୌଣସି ଯାନବାହନକୁ ଯିବାକୁ ଅନୁମତି ମିଳିବନି।