Odia News Portal

ବର୍ଷକରେ ହୋଇପାରିଲାନି ବିକଳ୍ପ ପାଠପଢା ବ୍ୟବସ୍ଥା

*ପାଠରେ ଲାଗିଲା କରୋନା ଡୋରି

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ସରକାରୀ ଶିକ୍ଷାନୁଷ୍ଠାନ ସହିତ ବେସରକାରୀ କୋଚିଂ ସେଣ୍ଟର ବନ୍ଦ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । କୋଚିଂ ସେଣ୍ଟରଗୁଡିକୁ ଅନ୍‌ଲାଇନ୍‌ରେ ପଢାଇବାପାଇଁ କହିଥିବାବେଳେ ସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ବି ଅନ୍‌ଲାଇନ୍‌ ପାଠପଢା ଏକମାତ୍ର ବିକଳ୍ପ । ତେବେ ପିଲାଏ ଅନ୍‌ଲାଇନ୍‌ରେ ପାଠପଢିବାପାଇଁ ବର୍ଷକ ଭିତ୍ତିରେ ଭିତ୍ତିଭୂମି ସଜଡାଯାଇ ପାରିନଥିବାରୁ ସେହି ଯୋଜନା ସଫଳ ହେଲାଭଳି ଲକ୍ଷ୍ୟ କରାଯାଉନାହିଁ ।

କରୋନା ପ୍ରବେଶକୁ ବର୍ଷେ ପୂରିବା ସହିତ ଶିକ୍ଷାନୁଷ୍ଠାନଗୁଡିକ କରୋନା ଯୋଗୁଁ ଦ୍ୱିତୀୟବାର ବନ୍ଦ ହେଲାଣି । କେବେ ଖୋଲିବ କେହି କିଛି କହିପାରୁ ନାହାନ୍ତି । ଗତବର୍ଷ କରୋନା କାଳରେ ବନ୍ଦ ରହିଥିବା ପ୍ରାଥମିକ ଶିକ୍ଷାନୁଷ୍ଠାନଗୁଡିକ ଏ ପର୍ଯ୍ୟନ୍ତ ଖୋଲିନାହିଁ । ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଖାଲି ଶ୍ରେଣୀ ଡେଇଁ ଚାଲିଛନ୍ତି । ଅବଶ୍ୟ ବେସରକାରୀ ଶିକ୍ଷାନୁଷ୍ଠାନ ସହିତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡିକ ଛାତ୍ରଛାତ୍ରୀମାନଙ୍କୁ ଅନ୍‌ଲାଇନ୍‌ରେ ପାଠପଢା ଜାରି ରଖିଛନ୍ତି ।

ରାଜ୍ୟ ସରକାରଙ୍କ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ନିକଟରେ ସାଧନ ନାହିଁ କି ଶିକ୍ଷକ ଶିକ୍ଷୟତ୍ରୀମାନେ ମଧ୍ୟ ପାଠ ପଢାଇବାପାଇଁ ଆବଶ୍ୟକ ତାଲିମ ପାଇ ନାହାନ୍ତି । ଖୋଦ ସରକାର କହୁଛନ୍ତି ଯେ ମାତ୍ର ୨୮ ପ୍ରତିଶତ ଛାତ୍ରଛାତ୍ରୀଙ୍କ ନିକଟରେ ସ୍ମାର୍ଟଫୋନ୍‌ ଥିବାବେଳେ ୫୪ ପ୍ରତିଶତଙ୍କ ନିକଟରେ ଫୋନ୍‌ ଥିଲେ ମଧ୍ୟ ସେଥିରେ ସ୍ମାର୍ଟ ବ୍ୟବସ୍ଥା ନାହିଁ । ତେଣୁ ଏହି ପିଲାମାନେ କିଭଳି ଅନ୍‌ଲାଇନ୍‌ରେ ପଢିବେ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କାରଣ ଅନ୍‌ଲାଇନ୍‌ରେ ଯେଉଁ ଶିକ୍ଷକମାନେ ପାଠ ପଢାଉଛନ୍ତି ସେମାନେ ପିଡଏଫ୍‌ ମେସେଜ କିମ୍ବା ଫଟୋ କପି ପଠାଉଛନ୍ତି । ତାହାକୁ ବିନା ସ୍ମାର୍ଟଫୋନ୍‌ରେ ଦେଖିବା ସମ୍ଭବପର ନୁହେଁ ।ଅନ୍ୟ ପକ୍ଷରେ ପ୍ରଥମ ପର୍ଯ୍ୟାୟ କରୋନା ପରେ ପରେ ଦେଶର ପ୍ରାୟ ସମସ୍ତ ଟେଲିକମ୍‌ ସେବା ଯୋଗାଣକାରୀ କମ୍ପାନୀ ସେମାନଙ୍କର ଦର ବଢାଇ ଦେଇଛନ୍ତି । ବିଶେଷକରି ଡାଟା ଦର ବୃଦ୍ଧି ପାଇଛି । ତେଣୁ ଗାଁ ଗହଳରେ ରହୁଥିବା ଲୋକେ ମାସକୁ ମାସ ପଇସା ଦେଇ ହାଇସ୍କିଡ୍‌ ଡାଟା କିଣିବା ସମ୍ଭବ ନୁହେଁ ।

ଏବେ ବି ରାଜ୍ୟର ଅନେକ ପଞ୍ଚାୟତ ମୋବାଇଲ୍‌ ସେବାଠାରୁ ଦୂରରେ ଥିବାରୁ ସେଠାକାର ପିଲାଙ୍କୁ ପାଠପଢାଇବା ବି ସହଜ ନୁହେଁ ।ତେବେ ବର୍ଷକ ଭିତରେ ରାଜ୍ୟ ସରକାର ଓଡିଶାର ଛାତ୍ରଛାତ୍ରୀ ଓ ପରିବେଶକୁ ଚାହିଁ ସେଭଳି କୌଣସି ବିକଳ୍ପ ବ୍ୟବସ୍ଥା ବାହାର କରିପାରିନଥିବାରୁ ସେମାନେ ଏବେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ତୁଳନାରେ ପଛରେ ପଡିବା ସାର ହୋଇଛି । କାରଣ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ଅନ୍ୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡିକ ନିୟମିତ ଭାବେ ଅନ୍‌ଲାଇନ୍‌ରେ ପାଠପଢା ଜାରି ରଖିଛନ୍ତି । ଏପରିକି ଏହିସବୁ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲିଖିତ ଖାତା ଦେଖିବାର ମଧ୍ୟ ବ୍ୟବସ୍ଥା କରିଛନ୍ତି । ତେବେ କରୋନା ସଂକ୍ରମଣ ତୀବ୍ର ଯୋଗୁ ତାହାକୁ ସାମୟିକ ସ୍ଥଗିତ ରଖିଛନ୍ତି ।