ଭୁବନେଶ୍ୱର: ଲଢ଼େଇ ବର୍ଷ ବର୍ଷର । ଆଜାଦୀର, ଆଜାଦର । ସ୍ୱାଧିନ ଦେଶରେ ସ୍ୱାଧିନତା ଖୋଜୁଥିବା କିଛି ଅମଣିଷଙ୍କର । ଯିଏ ଲଢ଼େ ତ ସରକାର ସହ କିନ୍ତୁ ଜୀବନ ନିଏ ଯବାନର । ପୁଲିସ ପୋଷାକରେ ଶତ୍ରୁର ମୁକାବିଲା କରୁ କରୁ ଟଳିପଡେ ବୀର ଯବାନ, ଯାହାର କଫିନ ଉପରେ ତି୍ରରଙ୍ଗା ଘୋଡାଇ ଦେଇ ମୋ ସରକାର ଭାଷଣ ଝାଡେ । ବୈଠକ କରେ, ରଣନୀତି କରେ, ମିଡିଆରେ ଚର୍ଚ୍ଚା ହୁଏ, ସବୁ ପରେ ବି କିଛି ହୁଏନି । ସରକାର ମୁକାବିଲା ପାଇଁ ରଣନୀତି କରୁ କରୁ ଆଉ ଏକ ଆକ୍ରମଣ ହୁଏ ଆଉ ପୁଣି ଟଳିପଡେ ଆଉ ଜଣେ ବୀର ଯବାନ ।
ଓଡିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାରଖଣ୍ଡରେ ମାଓ ସଂଗଠନର ଉପସ୍ଥିତି ଥିବା ସରକାର ପାଖରେ ପକ୍କା ଖବର ରହିଛି । ସେଇଥିପାଇଁ ତ କୁମ୍ବି ଓ ପହରା ଦିଅନ୍ତି ସିପାହୀ । ଘଂଚ ଜଙ୍ଗଲ ଭିତରେ କଡା ପହରା ଦେଉଥିବା ଯବାନମାନେ କେତେ ବେଳେ ମୃତୁ୍ୟ କରନ୍ତି ସାମ୍ନା କରନ୍ତି ତାହା କହିବା ମୁସ୍କିଲ । କେଇ ଘଂଟା ପୂର୍ବରୁ ଛତିଶଗଡ ବିଜାପୁରରେ ୨୪ ଯବାନଙ୍କୁ ମାରି ଶୁଆଇ ଦେଲେ ନକ୍ସଲମାନେ । ଗତ ସପ୍ତାହରେ ଆଉ ଏକ ଆକ୍ରମଣରେ ୫ ଯବାନ ସହୀଦ ହୋଇଛନ୍ତି । ବାରମ୍ବାର ଭାରତ ଭିତରେ ବିଭିନ୍ନ ସ୍ଥାନରେ ଆକ୍ରମଣ କରି ନିଜର ଉପସ୍ଥିତି ଜାହୀର କରିଛି ମାଓ ସଂଗଠନ ଅେଉ ପ୍ରତିଥର କେବଳ ରଣନୀତି କରିବା ଛଡା ଆଉ କିଛି କରି ନାହାଁନ୍ତି ସରକାର । ମାଓବାଦ ବିଦ୍ରୋହରେ ହଠାତ ଏ ବୃଦ୍ଧି କାହିଁକି ତାହା ଏପର୍ଯ୍ୟନ୍ତ ଆମେ ଜାଣିନାହୁଁ । କିନ୍ତୁ ଏହା ସୂଚାଇ ଦେଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ଭାରତର ସବୁଠାରୁ ବଡ ଆଭ୍ୟନ୍ତରୀଣ ସୁରକ୍ଷା ଆହ୍ୱାନ ସମ୍ପର୍କରେ ।
ଛତିଶଗଡ ରାଜ୍ୟ ଗଠନ ପରଠାରୁ ଅଟଳବିହାରୀ ବାଜପେୟୀ, ମନମୋହନ ସିଂ ଓ ନରେନ୍ଦ୍ର ମୋଦିଙ୍କ କେନ୍ଦ ସରକାର ଅଧିନରେ ରାୟପୁର ଦୁଇଟି କଂଗ୍ରେସ ଓ ତିନିଥର ବିଜେପି ସରକାର ଦେଖିସାରିଛି । ପ୍ରସଙ୍ଗ ବଦଳିବା ସହ ରାଜନୈତିକ ଦୃଶ୍ୟପଟ୍ଟ ବି ବଦଳେ । କିନ୍ତୁ ବିଶ୍ୱାସର ଅଭାବ, ସ୍ଥାନୀୟ ରାଜନେତାଙ୍କ ଏକ ଗୋଷ୍ଠୀ ନକ୍ସଲ କିମ୍ବା ମାଓ ସଂଗଠନ ସହ ସମ୍ପୃକ୍ତି, ମୁକ୍ତି ପ୍ରଦାନ କରି ଶାନ୍ତି କିଣିବାର ପ୍ରବୃତି ଏବଂ ମିଛରେ ହିଂସାର କାରଣ ଖୋଜି ସହାନୁଭୁତି ଗୋଟାଉଥିବା ଏଜେନ୍ସି ଏ ନକ୍ସଲବାଦ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରନ୍ତି ।
ଯଦିଓ ଛତିଶଗଡରେ ଏବେ କଂଗ୍ରେସ ସରକାର ରହିଛି କିନ୍ତୁ ପୂର୍ବରୁ ତ ଭାରତୀୟ ଜନତା ପାର୍ଟିର ସରକାର ଥିଲା । ଆକ୍ରମଣ ଖାଲି ଏବେ ହୋଇନି, ସେତେବେଳେ ବି ହୋଇଥିଲା । ତେଣୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଦାୟୀ କରିବା ବା ଦୋଷ ଦେବା ବ୍ୟତୀତ ବର୍ତମାନ ପରିପ୍ରେକ୍ଷୀରେ ମାଓ ମୁକାବିଲା ବେଶୀ ଗୁରୁତ୍ୱପୂର୍ଣ୍ଣ । ଅର୍ବାନ ନକ୍ସଲ କନସେପ୍ଟ ଆଉ ପ୍ରକୃତ ନକ୍ସଲ କଣ ତା ଭିତରେ ଥିବା ଫରକକୁ ନବୁଝିବା ଯାଏଁ ଅନ୍ଧାରରେ ବାଡି ବୁଲାଇବା ସହ ସମାନ । ଇତିହାସ କହୁଛି, ନକ୍ସଲ ହିଟ୍ ଆଦିବାସୀ ବହୁଳ ବିଜାପୁର ଜୋନରେ ନକ୍ସଲ- ଯବାନ ସଂଘର୍ଷ ଥମିବାର ନାଁ ନେଇନି । ୨୦୦୪ ମସିହାରେ ସିପିଆଇ –ମାଓବାଦୀ ଗଠନ ପରେ ଭାରତ ସରକାରଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ ହୁଏ । ପିପୁଲ୍ସ ୱାର ଗୃପ୍ ଏବଂ ମାଓବାଦୀ କମ୍ୟୁନିଷ୍ଟ ସେଂଟରକୁ ନେଇ ସିପିଆଇ ମାଓବାଦର ଜନ୍ମ ବୋଲି କୁହାଯାଏ ।
୧୯୬୭ ମସିହାରେ କମୁ୍ୟନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ବିଭାଜିତ ହେବା ପରେ ସେମାନଙ୍କର ଉତ୍ପତି ହୋଇଥିବା ଅନୁମାନ କରାଯାଏ । ତେବେ ୨୦୦୫ ମସିହାରୁ ପ୍ରତିବର୍ଷ ସିପିଆଇ-ମାଓବାଦୀ ଏବଂ ସରକାରଙ୍କ ମଧ୍ୟରେ ସଂଘର୍ଷରେ ଶହ ଶହ ଲୋକଙ୍କ ପ୍ରାଣହାନୀ ହେଲାଣି । ଛତିଶଗଡ, ମହାରାଷ୍ଟର କିଛି ଅଂଚଳ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ର ଓଡିଶା ବର୍ଡର ଆଦିରେ ସେମାନଙ୍କ ଉପସ୍ଥିତି ବେଶ ଭଲରେ ବାରି ହୁଏ । ବସ୍ତର, ସୁକମା, ଦାନ୍ତେୱାଡା, ବିଜାପୁରରେ ଅନେକ ଆକ୍ରମଣ ହୋଇଛି ଓ ପ୍ରତିଥର ଯବାନ ସହୀଦ ହୋଇଛନ୍ତି । ୨୦୧୩ରେ ଦରଭା ନକ୍ସଲ ଆକ୍ରମଣରେ ୨୪ଜଣ କଂଗ୍ରେସ ନେତାଙ୍କ ନିଧନ ଏପରିକି ତକ୍ରାଳୀନ ମନ୍ତ୍ରୀ ମହେନ୍ଦ୍ର କର୍ମା ଏବଂ ଛତିଶଗଡ କଂଗ୍ରେସ ଚିଫ୍ ନନ୍ଦ କୁମାର ପଟେଲଙ୍କ ହତ୍ୟା ସାରା ଦେଶକୁ ହୁଲସ୍ତୁଲ କରିଥିଲା ।
ଏକ ରିପୋର୍ଟ ଅନୁସାରେ, ୨୦୦୨ରେ ୪୮୨ ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ୨୦୦୪ରେ ୫ଶହରୁ ଉଦ୍ଧ୍ୱର୍ ଜୀବନ ଯାଇଛି ଯୁଦ୍ଧରେ । ୨୦୦୫ରେ ୭୦୦ ଜଣ, ୨୦୦୬ରେ ୫୦୦ରୁ ୭୫୦ଜଣ ମୃତୁ୍ୟବରଣ କରିଛନ୍ତି ସରକାର ଓ ନକ୍ସଲ ସଂଘର୍ଷରେ । ୨୦୦୭ରେ ୪୦୦ରୁ ଉଦ୍ଧ୍ୱର୍ ନକ୍ସଲ ଛତିଶଗଡର ଥାନା ଉପରେ ଆକ୍ରମଣ କରିବା କଣ କେବେ ଭୁଲି ହେବ । ୨୦୧୪ ଫେବୃଆରୀ ୨୮ରେ ୬ ପୁଲିସ କର୍ମଚାରୀ, ୧୧ ମାର୍ଚ୍ଚ ୨୦୧୪ରେ ୧୫ ସୁରକ୍ଷାବାହିନୀ, ୧୧ ମେ ୨୦୧୪ରେ ୭ ପୁଲିସ କର୍ମଚାରୀ ସହୀଦ ହେବା କଣ ଛୋଟିଆ କଥା ? ୨୦୧୭ ଏପ୍ରିଲ ୨୪ରେ ୨୫ ସିଆପିଏଫ୍ ଯବାନ ସହୀଦ ହେବା, ୨୦୧୮ ମାର୍ଚ୍ଚ ୧୩ରେ ୯ ସିଆରପିଏଫ୍ ଯବାନ ସହୀନ ହେବା କଣ ଭୁଲି ପାରିବା ? ୨୦୧୯ ମେ ୧ରେ ଗଡଚିରୋଲି ଠାରେ ଯେଭଳି ବର୍ବରୋଚିତ ଆଇଡି ବିସ୍ଫୋରଣରେ ୧୬ ପୁଲିସ କର୍ମଚାରୀଙ୍କୁ ହତ୍ୟା କରାଗଲା ତାହା ସାରା ଦେଶକୁ ହତବାକ୍ କରିଥିଲା । ୨୧ ମାର୍ଚ୍ଚ ୨୦୨୦ରେ ସୁକମାରେ ୧୭ ସିଆରପିଏଫ ଯବାନଙ୍କୁ ହତ୍ୟା କରାଗଲା, ୧୫ ଯବାନ ଆହତ ହେଲେ, ୨୦୨୧ ମାର୍ଚ୍ଚ ୨୩ରେ ନାରାୟଣପୁର ଜିଲ୍ଲାରେ ଆଇଡି ବିସ୍ଫୋରଣରେ ବସ ଉଡିଗଲା । ୫ଯବାନ ସହୀଦ ହେଲେ ୨୦ ଜଣ ଗୁରୁତର ହେଲେ ଆଉ ଏବେ ଏପ୍ରିଲ ୩ ତାରିଖରେ ବିଜାପୁରରେ ୨୨ଜଣଙ୍କୁ ସହୀଦ ହେବାକୁ ପଡିଲା ।
ବାହ୍ୟଶତ୍ରୁ ନୁହେଁ ଭାରତ ପାଇଁ ସବୁବେଳେ ଅଧିକ କ୍ଷତି ଦେଇଛି ଆନ୍ତର୍ଘାତୀ ଆକ୍ରମଣ । ମୋରି ଦେଶରେ ରହି , ମୋରି ଦେଶରେ ବଢ଼ି, ମୋରି ଦେଶରେ ପାଠ ପଢ଼ି, ମୋରି ଦେଶର ଲୁଣ ଖାଇ… ଆଜାଦୀ ମାଗୁଥିବା ଗୋଟିଏ ସଂଗଠନ ଯାହାକୁ ଆମେ ନକ୍ସଲ ବା ମାଓବାଦୀ କହୁ । ସ୍ୱାଧିନ ଦେଶରେ ସ୍ୱାଧିନତାର ନୂଆ ସଂଜ୍ଞା ଖୋଜୁଥିବା ନକ୍ସଲ ସଂଗଠନ ମୋରି ଦେଶର ଯବାନମାନଙ୍କୁ ମାରି ଶୁଆଇ ଦିଏ ଆଉ ମୋରି ଦେଶର ସରକାର ପ୍ରତି ଥର ଆକ୍ରମଣ ପରେ ମିଡିଆ ସାମ୍ନାକୁ ଆସି ଗୋଟିଏ ଚିରାଚରିତ ଡାଏଲଗ କୁହେ, ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ । ଆଉ ପ୍ରତିଟି ସହୀଦ ଯବାନ ଯୁଇରେ ଜଳିବା ବେଳେ ଗୋଟିଏ ପ୍ରଶ୍ନ କରୁଥାଏ ମୋ ସରକାରକୁ ଆଉ କେତେ ବଳିଦାନ ଦରକାର…
ସବୁବେଳେ କୁହାଯାଏ ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ, ତାହାଲେ ଆଉ କେତେ ବଳିଦାନ ଦରକାର?