ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରାଞ୍ଚଳର ୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ୍ ଜୋନ୍ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଗାଁକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। ଫୁଲବାଣୀ ପୌରାଞ୍ଚଳର ୨ ନମ୍ବର ୱାର୍ଡ ଡାକପାଲର ସ୍କୁଲ ସାହି ଓ ୫ ନଂ ୱାର୍ଡର ୫ଟି ଘର କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା ହୋଇଛି। ଏନେଇ ଫୁଲବାଣୀ ଜିଲ୍ଲାପାଳ ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ, ଡାକପାଲର ସ୍କୁଲ୍ ସାହିରୁ ୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ନଂ ୱାର୍ଡର ଗୋଟିଏ ଘରୁ ଜଣେ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଫଳରେ ୨ଟି ସ୍ଥାନକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। ମାଇକ୍ରୋ କଣ୍ଟେନ୍ମେଣ୍ଟ୍ ଅଞ୍ଚଳରେ କଟକଣା ପାଳନ ପାଇଁ ଆବଶ୍ୟକ ମୁତାବକ ପୋଲିସ ମୁତୟନ ପାଇଁ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସମ୍ପୃକ୍ତ ଅଞ୍ଚଳରେ ସଚେତନତା ସୃଷ୍ଟି ଲାଗି ଡାକପାଳ ୟୁପି ସ୍କୁଲର ସହକାରୀ ଶିକ୍ଷକ ମିନାକ୍ଷୀ ପ୍ରଧାନଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। ଏହି ଅଞ୍ଚଳକୁ ଯାତାୟାତ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହାସହ ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଇଛି।
ସେହିପରି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅଞ୍ଚଳ ବୃନ୍ଦାବାହଲ ପଞ୍ଚାୟତର ଲିମସେର ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଗତକାଲି ମଧ୍ୟରାତ୍ରରୁ ୮ ତାରିଖ ମଧ୍ୟ ରାତ୍ରି ଯାଏ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି। ଗତ ୨ ତାରିଖରେ ବୃନ୍ଦାବାହାଳ ପଞ୍ଚାୟତ ଲିମସେରରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଏବଂ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଜନସାଧାରଣଙ୍କ ସମାଗମ ଦୃଷ୍ଟିରୁ ଲିମସେରରେ ଥିବା ସମସ୍ତ ଦୋକାନ, ବଜାର, ଯାଜବାହାନ ଚଳାଚଳ, ଧାର୍ମିକ ଅନୁଷ୍ଠାନ, ସରକାରୀ ଓ ବେସରକାରୀ ଅଫିସ ୨ ତାରିଖ ଠାରୁ ୮ ତାରିଖ ମଧ୍ୟରାତି ପର୍ଯ୍ୟନ୍ତ ସର୍ଟ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।ଏହାସହ ସମସ୍ତ ଅନୁଷ୍ଠାନ ବନ୍ଦ କରି ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖି ସମସ୍ତ ଜନସାଧାରଣ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ନିୟମ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।