Odia News Portal

ନବରଙ୍ଗପୁର ପ୍ରଶାସନ ହଟାଇଲା ନାଇଟ୍‌ କର୍ଫ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ହଟିଲା ନାଇଟ୍‌ କର୍ଫ୍ୟୁ | ରାଜ୍ୟରେ ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଥିଲା। ଜିଲ୍ଲାରେ କରୋନା ମିଟର ତଳ ମୁହାଁ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନାଇଟ କର୍ଫ୍ୟୁ ହଟାଇ ଦିଆଯାଇଛି। ତେବେ ରବିବାର ନବରଙ୍ଗପୁର ଜିଲ୍ଲା ପ୍ରଶାସନ ନାଇଟ୍ କର୍ଫ୍ୟୁ ପ୍ରତ୍ୟାହାର କରିଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ସୂଚନା ଅନୁଯାୟୀ, ମାର୍ଚ୍ଚ ୨୫ରୁ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିଲା। ନବଙ୍ଗପୁର ଜିଲ୍ଲାପାଳ ଏନେଇ ଘୋଷଣା କରିଥିଲେ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା। ତେବେ ସ୍ଥିତିରେ କିଛିଟା ସୁଧାର ଆସିବା ପରେ ଜିଲ୍ଲାପାଳ ରବିବାର ନାଇଟ୍‌ କର୍ଫ୍ୟୁ ପ୍ରତ୍ୟାହାର କରିଛନ୍ତି।ତେବେ ନାଇଟ୍ କର୍ଫ୍ୟୁ ସହ ଜିଲ୍ଲାପାଳ ଆଉ କିଛି କଟକଣା ଜାରି କରିଥିଲେ।ଯେପରିକି ଘରୋଇ ଓ ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବା ମନା ନିୟମ ରହିଥିଲା। ଜରୁରୀ ନଥିବା ସେମିନାର, ଓ୍ଵାର୍କସପ୍‌, କନଫରେନ୍ସ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଥିଲା। ଏପରିକି ଧାର୍ମିକ କାର୍ଯ୍ୟକ୍ରମ ଓ ବାହାଘର ରିସେପସନ୍ ଆଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ତେବେ ଏହି ସବୁ କଟକଣା ହଟିବା ନେଇ କୌଣସି ନିର୍ଦ୍ଦେଶନାମା ଆସିନାହିଁ |