Odia News Portal

ପରକୀୟା ପ୍ରୀତିରୁ ପୋଲିସ ଦମ୍ପତିଙ୍କ ହାଇଡ୍ରାମା

ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଉଭୟ ପୋଲିସ ଦମ୍ପତି ଥାନାର ଦ୍ୱାରସ୍ଥ

ଭୁବନେଶ୍ୱର: ତ୍ରିକୋଣୀୟ ପ୍ରେମ ସମ୍ପର୍କରୁ ପୋଲିସ ଦମ୍ପତି ହାତାହାତି | ଉଭୟ ପତି-ପତ୍ନୀ ପୋଲିସ ବିଭାଗରେ ଚାକିରି କରିଥିବା ବେଳେ ଏବେ ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଉଭୟଙ୍କୁ ପୋଲିସ ଥାନାର ଦ୍ୱାରସ୍ଥ ହେବାକୁ ପଡ଼ିଛି । ଉଭୟ ପୋଲିସ ଦମ୍ପତି ପରସ୍ପରଠାରୁ ପ୍ରାୟ ୧୧ ବର୍ଷ ହେଲା ଅଲଗା ରହୁଛନ୍ତି। ଆଜି ଭୀମଟାଙ୍ଗୀ ସ୍ଥିତ ସ୍ୱାମୀଙ୍କ ଘରକୁ ସ୍ତ୍ରୀ ଯାଇଥିଲା ବେଳେ ହାତାହାତି ହୋଇଥିବା ଘଟଣା ସାମ୍ମନାକୁ ଆସିଛି |

ସୂଚନା ଅନୁଯାୟୀ, ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ପୋଲିସ ଦମ୍ପତି ରାସ୍ତା ଉପରେ ହାତାହାତି ହୋଇଥିବା ସ୍ଥାନୀୟ ଲୋକଙ୍କ ନିକଟରୁ ଜଣାପଡ଼ିଛି । ଏହି ଦମ୍ପତି ଦୀର୍ଘ ୧୧ ବର୍ଷ ଧରି ଅଲଗା ରହି ଆସୁଛନ୍ତି । କିନ୍ତୁ ଆଜି ହଠାତ୍‌ ମହିଳାଙ୍କ ସ୍ୱାମୀ ତାଙ୍କ ନିଜ ଘରେ ଥିବା ବେଳେ ମହିଳା ଜଣକ ତାଙ୍କ ଘରେ ପହଞ୍ଚିଥିଲେ । ଆଉ ସେଠାରେ ତାଙ୍କୁ ଛୁରୀ ଧରି ଆକ୍ରମଣ କରିଥିଲେ । ଏମିତିକି ମହିଳା ଜଣକ ପୁରୁଷଙ୍କ ହାତକୁ କାମୁଡ଼ି ଦେଇଥିବା ମଧ୍ୟ ସୂଚନା ମିଳିଛି ।

ତେବେ ଏହି ସବୁ ଘଟଣାକୁ ମହିଳା ଜଣଙ୍କ ସମ୍ପୂର୍ଣ୍ଣ ଖଣ୍ଡନ କରିଥିବା ବେଳେ ସେ ସଫେଇ ଦେଇଛନ୍ତି ଯେ, ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଛନ୍ତି । ଏକଥା ଜାଣିବା ପରେ ସେ ସ୍ୱାମୀଙ୍କ ଘରେ ପହଞ୍ଚିଥିଲେ । ପୂର୍ବରୁ ଏହା ଜାଣିପାରି ସ୍ୱାମୀ ଓ ତାଙ୍କ ପ୍ରେମିକା ଉଭୟ ଘରୁ ବାହାରି ଦୌଡ଼ି ପଳାଇଥିଲେ । ଏହି ସବୁ ଘଟଣା ପରେ ଏବେ ଏୟାରଫିଲ୍ଡ ଥାନାରେ ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ କରି ସମାଧାନ କରିବ ବୋଲି କହିଛି ।