Odia News Portal

୧୮ରାଜ୍ୟରେ ଚିନ୍ତା ବଢ଼ାଇଲା ‘ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟ’

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବଢ଼ିଥିବା ସମୟରେ କେନ୍ଦ୍ର ସରକାର ସାଂଘାତିକ ତଥ୍ୟ ପ୍ରଦାନ କରିଛନ୍ତି । ଭାରତରେ କେବଳ କରୋନା ସଂକ୍ରମଣ ବଢ଼ୁନାହିଁ ବରଂ ତା ସହ ବ୍ରିଟେନ୍ ଷ୍ଟ୍ରେନ୍ ଭଳି ଦେଶରେ ନୂଆ ଭାରିଆଣ୍ଟ ସୃଷ୍ଟି ହୋଇଛି । ଆଉ ସବୁଠାରୁ ବଡ଼ କଥା ଏହି କି ଯେ ନୂଆ ଭାରିଆଣ୍ଟ ଦେଶର ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ ବରଂ ୧୮ଟି ରାଜ୍ୟରେ ଠାବ ହୋଇଛି ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବିଦେଶରେ ଦେଖାଯାଉଥିବା ନୂଆ ଷ୍ଟ୍ରେନ ଓ ମାରାତ୍ମକ ଡବଲ ମ୍ୟୁଟାଣ୍ଟ ଭାରିଆଣ୍ଟ ଭାରତରୁ ଠାବ ହୋଇଛି। ତେବେ ଏମାନଙ୍କ ସଂଖ୍ୟା ଅଧିକ ପରିମାଣରେ ନାହିଁ। ତେଣୁ ରାଜ୍ୟଗୁଡ଼ିକରେ ସଂକ୍ରମଣ ବ୍ୟାପିବା ପଛରେ ସିଧାସଳଖ ଏହି ଭାରିଆଣ୍ଟ ଦାୟୀ ବୋଲି କହି ପାରିବା ନାହିଁ। ୧୦,୭୮୭ଟି ନମୁନା ମଧ୍ୟରୁ ୭୩୬ ଜଣଙ୍କ ଶରୀରରେ ବିଦେଶରେ ଦେଖାଯାଉଥିବା କରୋନା ଷ୍ଟ୍ରେନ ଠାବ ହୋଇଛି। ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା ଷ୍ଟ୍ରେନ ୩୪ ଜଣଙ୍କ ଠାରୁ ମିଳିଥିବା ବେଳେ ଜଣଙ୍କ ଶରୀରରୁ ବ୍ରାଜିଲର କରୋନା ଭାଇରସ ଷ୍ଟ୍ରେନ ଠାବ ହୋଇଛି।ବାକି ସମସ୍ତେ ବ୍ରିଟେନରେ ଦେଖାଯାଉଥିବା କରୋନାର ନୂଆ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି।