ଭୁବନେଶ୍ୱର: ଚାକିରିରେ ଯୋଗଦେବା ଦିନଠାରୁ ଗୋଟିଏ ସ୍ଥାନରେ କାମ କରୁଛନ୍ତି । କାହାର ୨୫ ବର୍ଷ ତ ଆଉ କାହାର ୩୦ବର୍ଷ । ପ୍ରଥମ ଶ୍ରେଣୀ ପାହ୍ୟାର ଅଫିସରଙ୍କ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ୧୨୦ଜଣ କର୍ମଚାରୀ କେହିହେଲେ ଦପ୍ତର ଛାଡିଯିବାକୁ ନାରାଜ । ଯେତେ ଅଭିଯୋଗ ଆସିଲେ ବି ସରକାର ଏମାନଙ୍କୁ ବଦଳି କରୁନାହାନ୍ତି କି ସେମାନେ ବି ଯିବାକୁ ଚାହୁଁ ନାହାନ୍ତି ।
ଏହି ଦପ୍ତର ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଖୋଦ ରାଜଧାନୀରେ ଥିବା ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ବୋର୍ଡରେ କାର୍ଯ୍ୟରତ କର୍ମଚାରୀଙ୍କ ସଂକ୍ରାନ୍ତରେ ବିଜେପି ବିଧାୟିକା କୁସୁମ ଟେଟେ ପଚାରିଥିବା ପ୍ରଶ୍ନରୁ ଏହା ଖୁଲାସା ହୋଇଛି । ବୋର୍ଡର ଜଣେ ଜଣେ କର୍ମଚାରୀ ଏଇଠି ଚାକିରି ଆରମ୍ଭ କରି ଅବସର ନୋବକୁ ବାହାରିଲେଣି । ଜଣେ ର୍କମଚାରୀ ତ ଅବସର ନେଲାପରେ ଏଠାରେ ଠିକାରେ କାର୍ଯ୍ୟ କରୁଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି କର୍ମଚାରୀ ଜଣଙ୍କ ନିଜ ଚାକିରି କାଳରେ ଯେଉଁ ମାମଲାକୁ ତୁଟାଇ ପାରିନଥିଲେ ଅବସର ପରେ ସେ ମାମଲା ବୋଝ ହାଲକା ହାଲକା କରିବେ ବୋଲି ଠିକାରେ ନିଯୁକ୍ତ ହୋଇଛନ୍ତି ।
ତେବେ ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପରିବେଶ ନିୟନ୍ତ୍ରଣ ବୋର୍ଡରେ ଥିବା କିଛି ଯନ୍ତ୍ରୀ ତ ଦପ୍ତରର ଚଉକି ଛାଡି ଯିବାକୁ ବି ନାରାଜ । ଜଣେ ଜଣେ ଯନ୍ତ୍ରୀଙ୍କ ହାତରେ ୫/୬ଟି ଦାୟିତ୍ୱ । ଯେଉଁ ଦାୟିତ୍ୱ ରଖିଲେ ହାତ ଚିକ୍କଣ ହେବ ସେହି ଦାୟିତ୍ୱକୁ କିଛି ବାବୁ ଜାବୁଡି ଧରିଛନ୍ତି । ଏକାଧିକ କ୍ଷମତାକୁ ମାଡି ବସିଥିଲେ ବି ଅନ୍ୟକୁ ହସ୍ତାନ୍ତର କରିବାକୁ ନାରାଜ । ପ୍ରଦୂଷଣ ତଦନ୍ତ ଠାରୁ ଆରମ୍ଭ କରି ନୂଆ କାରକାନାକୁ ଅନୁମତି ଦେବା, ଅନ୍ଲାଇନ୍ରେ ଅନୁମତି ପ୍ରଦାନ ସବୁକିଛିକୁ ଜଣେ ବାବୁ ହାତରେ ରଖିଥିବା ନେଇ ଚର୍ଚ୍ଚା ହେଉଛି ।ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ସଂସ୍ଥାର ମୁଖ୍ୟ ହେଉଛନ୍ତି ମୁଖ୍ୟ ଶାସନ ସଚିବ । ବିଭାଗର ମୁଖ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଫିସର । ଏହା ସତ୍ୱେ ବି
ପ୍ରଦୂଷଣ..
ଏଠାକାର କର୍ମଚାରୀମାନଙ୍କର କିଭଳି ଅନ୍ୟସ୍ଥାନ ବିଶେଷକରି ଜିଲ୍ଲା ସ୍ତରକୁ ବଦଳି ହେଉନାହିଁ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଅବସ୍ଥା ଏଭଳି ହେଲାଣି ଯେ ଏଠାରେ କାର୍ଯ୍ୟରତ କିଛି ବାବୁ ନାଁକୁ ମାତ୍ର ଚାକିରି କରିଥିବାବେଳେ ନିଜ ନିଜର କାରଖାନା ବସାଇବାପାଇଁ ଝାରସୁଗୁଡା ଠାରୁ ଆରମ୍ଭ କରି ଖୋରଧା ପର୍ଯ୍ୟନ୍ତ ଜମି କିଣି ସାରିଲେଣି ।ତେବେ ବୋର୍ଡରେ ହେଉଥିବା ଆଲୋଚନା ଅନୁଯାୟୀ କିଛି କର୍ମଚାରୀଙ୍କ କାରନାମା ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି । ହେଲେ ନିଜ ନିଜ ଭାଗ ପାଇ ସମସ୍ତେ ଏବେ ଚୁପ୍ । ଏହା ଫଳରେ ବୋର୍ଡରେ ଏକ ପ୍ରକାର ପ୍ରଶାସନିକ ଅରାଜକତା ଆରମ୍ଭ ହୋଇଛି । ଦକ୍ଷ ଅଧିକାରୀମାନଙ୍କ ହାତକୁ କାମ ନଥିବାବେଳେ ଆଉ କିଛି ଅଫିସର ସବୁ କ୍ଷମତାକୁ ଜାବୁଡି ଧରି କୁବେର ପାଲଟିଲେଣି । ତେଣୁ ତୁରନ୍ତ ଏହି ୧୨୦ କର୍ମଚାରୀଙ୍କ ମଧ୍ୟରୁ କିଛିକୁ ଜିଲ୍ଲା ଓ ବିଭାଗକୁ ପଠାଇବା ଲାଗି ମତପ୍ରକାଶ ପାଉଛି ।