ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୧ ଲକ୍ଷ ୩ ହଜାର ୪୧୦ କୋଟି ଟଙ୍କା ରହିଛି । ଯେଉଁଥିରେ ରହିଛି ୬ ହଜାର ୩୪୭ କୋଟି ଟଙ୍କା ବୈଦେଶିକ ଋଣ । ସେହିପରି ନାବାର୍ଡ ଠାରୁ ରାଜ୍ୟ ସରକାର ୧୫ ହଜାର ୬୨୩ କୋଟି ଟଙ୍କାର ଋଣ ଆଣିଛନ୍ତି । ୫୩, ୩୮୫ କୋଟି ଟଙ୍କା ଆଭ୍ୟନ୍ତରୀଣ ସୂତ୍ରରୁ ଋଣ କରିଛନ୍ତି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରକାଶ କରିଛନ୍ତି ।
ସେହିପରି ଜାନୁଆରୀ ମାସ ଶେଷ ସୁଦ୍ଧା ମୁଣ୍ଡ ପିଛା ଋଣ ଭାର ୨୩, ୫୨୪ ଟଙ୍କା ରହିଛି । ୨୦୦୯-୧୦ ଆର୍ଥିକ ବର୍ଷରେ ମୁଣ୍ଡ ପିଛା ହାର ୯,୧୮୦ ଟଙ୍କା ରହିଥିଲା ବୋଲି ମନ୍ତ୍ରୀ ବିଧାନସଭାରେ ଜଣାଇଛନ୍ତି ।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟର ସାମଗ୍ରୀକ ଋଣ ଭାର କେତେ? ବୈଦେଶିକ ଋଣ କେତେ? ଆଭ୍ୟନ୍ତରୀଣ ଋଣ ଓ ବ୍ୟାଙ୍କ ମାନଙ୍କରୁ ଋଣ କେତେ? ସେହି ଆଧାରରେ ଏବେ ପ୍ରତ୍ୟେକ ଲୋକଙ୍କ ଉପରେ ମୁଣ୍ଡ ପିଛା ଋଣ କେତେ ? ସମ୍ପର୍କିତ ପ୍ରଶ୍ନର ଉତର ରଖି ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ତେବେ ଆମ ରାଜ୍ୟର ବର୍ତମାନ ମୁଣ୍ଡପିଛା ଋଣଭାର ଅନ୍ୟ ପ୍ରମୁଖ ରାଜ୍ୟମାନଙ୍କ ତୁଳନାରେ ଯଥେଷ୍ଟ କମ ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି ।