ଭୁବନେଶ୍ୱର : ରାଜ୍ୟରେ ସାଇବର ଅପରାଧ ମାମଲା ବଢ଼ୁଛି । ୨୦୧୯ ମସିହାରେ ୧୪୭୫ଟି ମାମଲା ରୁଜୁ ହୋଇଥିଲା ବେଳେ ୨୦୨୦ ମସିହାରେ ଏହା ୧୯୩୧କୁ ବୃଦ୍ଧି ପାଇଛି ବୋଲି ବିଧାନସଭାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତରରେ ମନ୍ତ୍ରୀ ଏହା କହିଛନ୍ତି ।
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ୨୦୧୯ରେ ୧୬,୦୮,୦୮,୭୪୬ ଟଙ୍କାର ସାଇବର ଠକେଇ ହୋଇଥିବା ବେଳେ ରାଜ୍ୟ ଭିତରୁ ଓ ବାହାରୁ ୩୪୨ ଜଣଙ୍କୁ ଗିରଫ କରାଯାଇଛି ଏବଂ ୨ ଜଣଙ୍କ ବିରୁଦ୍ଧରେ ଦଣ୍ଡ ବିଧାନ ହୋଇଛି । ଅନ୍ୟପକ୍ଷରେ ୨୦୨୦ରେ ୩୫,୦୭,୨୦,୧୩୫ ଟଙ୍କାର ସାଇବର ଠକେଇ ହୋଇଥିବା ବେଳେ ୩୬୬ ଜଣଙ୍କୁ ଗିରଫ କରାଯାଇଛି । ତେବେ ଏହି ବର୍ଷରେ କାହାରି ବିରୋଧରେ ଦଣ୍ଡବିଧାନ ହୋଇନାହିଁ ବୋଲି ମନ୍ତ୍ରୀ ଗୃହକୁ ଜଣାଇଛନ୍ତି ।