ଭୁବନେଶ୍ୱର: ଦୋଳ ମେଳଣ ପାଇଁ ଜାରି ହେଲା କଡ଼ା ଗାଇଡ଼ ଲାଇନ । ରାଜଧାନୀରେ କୋଭିଡ୍ କଟକଣାରେ ପାଳନ ହେବ ଦୋଳ ପୂର୍ଣ୍ଣିମା ।ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଦୋଳ ଯାତ୍ରାରେ ସର୍ବାଧିକ ୬ଜଣ ବ୍ୟକ୍ତିଙ୍କୁ ଅନୁମତି ମିଳିଛି । ଯାତ୍ରାରେ ସାମିଲ ସମସ୍ତ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।ସେହିଭଳି ଦୋଳ ବିମାନ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲଗାଯାଇଛି । ଦୋଳ ବିମାନ ଗଲାବେଳେ କୌଣସି ପ୍ରକାରର ବାଦ୍ୟଯନ୍ତ୍ର ବାଜି ପାରିବନି ବୋଲି ନିୟମ ଜାରି କରିଛି ବିଏମସି।
ମେଲଣ ପଡିଆରେ ୫୦ରୁ ୬୦ ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି । ମେଲଣ ପଡିଆରେ ୬ ଫୁଟ୍ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । କୋଭିଡ୍ କଟକଣାରେ ମନ୍ଦିରରେ ନୀତିକାନ୍ତି ପାଳନ କରାଯିବ । ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ୍ କଟକଣା ଭିତରେ ହୋଲି ଓ ମେଳଣ ଅନୁଷ୍ଠିତ ହେବ । ଗାଇଡଲାଇନ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ତରଫରୁ କୁହାଯାଇଛି ।