Odia News Portal

ଭାରତୀୟ ଲିଜେଣ୍ଡସ ଜିତିଲା ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜ

ରାୟପୁର: ଚଳିତ ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜର ଫାଇନାଲ୍ ମୁକାବିଲାରେ ଭାରତୀୟ ଲିଜେଣ୍ଡସ ପ୍ରତିପକ୍ଷ ଶ୍ରୀଲଙ୍କା ଲିଜେଣ୍ଡସକୁ ପରାସ୍ତ କରି ଟ୍ରଫି ହାସଲ କରିଛି । ଆଜି ମୁହାଁମୁହିଁ ହୋଇଥିଲେ ଦୁଇ ଏସୀୟ ଶକ୍ତି ଇଣ୍ଡିଆ ଲିଜେଣ୍ଡସ୍ ଓ ଶ୍ରୀଲଙ୍କା ଲିଜେଣ୍ଡସ୍। ଏହି ମ୍ୟାଚରେ ଯୁବରାଜ ସିଂହ ଓ ୟୁସୁଫ୍ ପଠାନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଇଣ୍ଡିଆ ଲିଜେଣ୍ଡସ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୮୧ ରନ୍ କରିଥିଲା । ଜବାବରେ ଶ୍ରୀଲଙ୍କା ଲିଜେଣ୍ଡସ୍ ୭ ୱିକେଟ ହରାଇ ୧୬୭ ରନ୍ କରି ୧୪ ରନରେ ହାରିଥିଲା । ଦଳ ପକ୍ଷରୁ ଜୟସୂର୍ଯ୍ୟା ୪୩, ଜୟସିଂଘେ ୪୦ ଓ ବିରାରତ୍ନେ ୩୮ରନ୍ କରିଥିଲେ । ଭାରତ ଲିଜେଣ୍ଡସ ପକ୍ଷରୁ ୟୁସୁଫ ଓ ଇର୍ଫାନ ପଠାନ ୨ ଲେଖାଏଁ ସଫଳତା ପାଇଥିଲେ । ଇଣ୍ଡିଆ ଲିଜେଣ୍ଡସ୍ ପକ୍ଷରୁ ଯୁବରାଜ ୪୧ ବଲରେ ୪ ଚୌକା ଓ ୪ ଛକା ସହ ୬୦ ଓ ୟୁସୁଫ୍ ୩୬ ବଲରେ ୪ ଚୌକା ଓ ୫ ଛକା ସହ ଅପରାଜିତ ୬୨ ରନ୍ କରିଥିଲେ ।

ଶହୀଦ୍ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଲିଜେଣ୍ଡସ୍ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଇଣ୍ଡିଆ ଲିଜେଣ୍ଡସର ଦୁଇ ନିୟମିତ ଓପ୍ନର ବୀରେନ୍ଦ୍ର ସେହ୍ୱାଗ ଓ କ୍ୟାପଟେନ୍ ସଚିନ୍ ତେନ୍ଦୁଲକର ଇନିଂସ୍ ଓପନ୍ କରିଥିଲେ। ସେହ୍ୱାଗ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ଏବଂ ମାତ୍ର ୧୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତେବେ ସଚିନ୍ ଲୟ ବଜାୟ ରଖି ଜବରଦସ୍ତ ବ୍ୟାଟିଂ କରିଥିଲେ।

ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଏସ୍ ବଦ୍ରିନାଥ (୭) ମଧ୍ୟ ନିରାଶ କରିଥିଲେ। ସଚିନ୍ ଓ ଯୁବରାଜ ତୃତୀୟ ୱିକେଟ୍ ପାଇଁ ୪୩ ରନ୍ ଯୋଡ଼ିଥିଲେ। ଶ୍ରୀଲଙ୍କା ବୋଲର ପରଭୀଜ ମାହାରୁଫଙ୍କ ବଲରେ ସଚିନ୍ ପ୍ୟାଡେଲ୍ ସୁଇପ୍ ମାରିବାକୁ ଯାଇ ୱିକେଟକିପର ଉପୁର ଥରଙ୍ଗାଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ସଚିନ୍ ୨୩ ବଲରେ ୫ ଚୌକା ସହ ୩୦ ରନ୍ କରିଥିଲେ। ଏହା ପରେ ଯୁବରାଜ ଓ ୟୁସୁଫ୍ ଆକର୍ଷଣୀୟ ବ୍ୟାଟିଂ କରି ଇଣ୍ଡିଆ ଲିଜେଣ୍ଡସର ରନ୍ ଗତିକୁ ବଢ଼ାଇଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୮୫ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ।

ଯୁବରାଜଙ୍କୁ କୌଶଲ୍ୟ ୱୀରାରତ୍ନେ ଆଉଟ୍ କରିଥିଲେ। ଯୁବରାଜଙ୍କ ଆଉଟ୍ ପରେ ଇଣ୍ଡିଆ ଲିଜେଣ୍ଡସର ରନ୍ ଗତି ହ୍ରାସ ପାଇଥିଲେ। ତେବେ ଇରଫାନ୍ ପଠାନ୍ ଶେଷ ବଲରେ ଛକା ମାରି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ