Odia News Portal

କୁନିଝିଅ ସୁହାନିର ଅଭିଶପ୍ତ ସଫର୍

ଦୁଇ ବର୍ଷ ପରେ ଫେରିଲା ଦିଲ୍ଲୀରୁ ଦେଉଳତୋଳା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଦେଉଳତୋଳା ଗ୍ରାମର ସନ୍ତୋଷ ଜେନାଙ୍କ ଝିଅ ଦୀର୍ଘ ୨ବର୍ଷ ପରେ ଦିଲ୍ଲୀରୁ କେନ୍ଦ୍ରାପଡା ଫେରିଥିବା ଜଣାପଡିଛି । ଦିଲ୍ଲୀର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ୨ବର୍ଷ ଧରି ଅସହାୟ ଅବସ୍ଥାରେ ଥିବା ଏହି ଝିଅଟିକୁ ଫେରାଇ ନେବାପାଇଁ ଦିଲ୍ଲୀର ଶିଶୁ ମଙ୍ଗଳ କମିଟି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ଜଣାଇଥିଲା । କରୋନା ମହାମାରୀ ପାଇଁ ଏହି ଅନାଥ ଝିଅଟି ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ୱ ହେବ ସେଠାରେ ରହି ଅସୁବିଧାର ସମ୍ମୁଖୀନ ହେଉଥିଲା ।

କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ପୂର୍ଣ୍ଣଚନ୍ଦ୍ର ମଲିକ, ଲଲିତାଞ୍ଜଳୀ ଦାସ ଦିଲ୍ଲୀରୁ ଆଣି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଶନିବାର ଅପରାହ୍ନ ୫ଟା ସମୟରେ ପହଁଚିବା ପରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ବାଦଲ ଦାସ, ସ୍ମିତାଞ୍ଜଳୀ ମହାପାତ୍ର ପ୍ରମୁଖଙ୍କ ସହାୟତାରେ ଗରଦପୁର ବ୍ଲକସ୍ଥିତ ପଲ୍ଲିଶ୍ରୀ ମହିଳା ସମିତି ଓ କୋରୁଆର ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଛି । ସେଠାରେ ଏହି ଅନାଥ ଝିଅଟି ପାଠ ପଢିବ ବୋଲି ସୂଚନା ମିଳିଛି ।

ଖବର ମୁତାବକ, ପିତା ମାତାଙ୍କ ଦ୍ୱାରା ଅଲୋଡା ହୋଇ ଦିଲ୍ଲୀରେ ପିଉଶୀ ଘରେ ରହି ପାଠ ପଢୁଥିବା ବେଳେ ପିଉସୀର ଅତ୍ୟାଚାର ଓ ଶାରିରୀକ ନିର୍ଯ୍ୟାତନା ସହୁଥିଲା ସୁହାନି । ତେବେ ସେଠାକାର ସ୍କୁଲ କତୃପକ୍ଷ ସୁହାନି ର ଦେହ, ହାତ, ଗୋଡ, ମୁହଁରେ ଆଘାତ ଚିହ୍ନ ଦେଖି ତାଠାରୁ ନିର୍ଯ୍ୟାତନା ସମ୍ବନ୍ଧୀୟ ତଥ୍ୟ ଅବଗତ ହୋଇ ଦିଲ୍ଲୀର ଶିଶୁ ମଙ୍ଗଲ କମିଟିକୁ ଜଣାଇଥିଲେ । କମିଟି ତରଫରୁ ସୁହାନିକୁ ଉଦ୍ଧାର କରାଯାଇ ନିଜ ହେପାଜତରେ ରଖାଯିବା ସହ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ସହ ଫେରାଇ ନେବାପାଇଁ ଯୋଗାଯୋଗ କରାଯାଇଥିଲା । ଏହାର ଫଳ ସ୍ୱରୂପ କେନ୍ଦ୍ରାପଡା ଶିଶୁ ମଙ୍ଗଳ କମିଟିର ପ୍ରତିନିଧି ମାନେ ସୁହାନିକୁ ଦିଲ୍ଲୀରୁ ଶନିବାର ଫେରାଇ ଆଣିଛନ୍ତି ।