ପୁରୀ: ନେତା-ନେତାଙ୍କ ମଧ୍ୟରେ ଚାଲିଛି ମାରପିଟ୍ ଆଉ ତାପରେ ମାମଲା ଯାଇ ପହଞ୍ଚିଲା ଥାନାରେ | ସତ୍ୟବାଦୀରେ ଶନିବାର ଦିନ ଜିଲ୍ଲା ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଯାହାକୁ ନେଇ ଗଡିଶାଗଦା ଥାନାରେ ଏତଲା ମଧ୍ୟ ହୋଇଛି । ଏତଲାରେ ସତ୍ୟବାଦୀରୁ ଗତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଓମ ପ୍ରକାଶ ମିଶ୍ରଙ୍କ ନାମ ରହିଛି । ତେବେ ପିପିଲିରେ ଏବେ ନିର୍ବାଚନ ଉଷ୍ମତା ବୃଦ୍ଧି ପାଉଥିବା ସମୟରେ ସତ୍ୟବାଦୀରେ ନେତା-ନେତାଙ୍କ ମଧ୍ୟରେ ମାରପିଟ୍ କୁ ନେଇ ଲୋକ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି |
ସୂଚନା ଅନୁସାରେ, ରାଜ୍ୟ ବିଜେପିର ବରିଷ୍ଠ ନେତା ସୁରଥ ବିଶ୍ୱାଳଙ୍କ ମା’ଙ୍କର ୪ ଦିନ ତଳେ ଦେହାନ୍ତ ହୋଇଥିଲା । ସମବେଦନା ଜଣାଇବା ପାଇଁ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ରାଜ୍ୟ ବିଜେପିର କିଛି ବରିଷ୍ଠ ନେତା ସୁରଥଙ୍କ ଘରକୁ ଯାଇଥିଲେ । ଏହି ସମୟରେ ସେଠାରେ ବିବାଦ ସୃଷ୍ଟି ହୋଇଥଲା । ଏତଲାକାରୀ ଜିଷ୍ଣୁଜୟ ମତଗଜସିଂଙ୍କ ଅନୁସାରେ ଓମ ପ୍ରକାଶଙ୍କ ସହିତ ଆସିଥିବା କିଛି ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ । ମଜଗଜସିଂଙ୍କ ମୁଣ୍ଡ ଓ ନାକରେ ଗଭୀର ଆଘାତ ଲାଗିଛି । ତେବେ ଆକ୍ରମଣରେ ୩୦ରୁ ଅଧିକ ବ୍ୟକ୍ତି ସାମିଲ ଥିଲେ । ଆକ୍ରମଣ କାଳରେ ଓମ ପ୍ରକାଶ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିବା ମଜଗଜସିଂ ଅଭିଯୋଗ କରିଛନ୍ତି । ଆକ୍ରମଣକାରୀ ତାଙ୍କ ତଣ୍ଟିଚିପି ତଳେ ପକାଇ ଦେବା ସହିତ ତାଙ୍କଠାରୁ ୨୭ଶହ ଟଙ୍କା ଛଡାଇ ନେଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ପୁରୀ ଲୋକସଭାରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଗୋଷ୍ଠୀ ସହିତ ଓମ ପ୍ରକାଶଙ୍କ ରାଜନୈତିକ ମତପାର୍ଥକ୍ୟ ଥିବା କୁହାଯାଉଛି ।