Odia News Portal

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ରାଜଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ବର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ସମୟରେ ରାଷ୍ଟ୍ରପତି ରାଉରକେଲା, ପୁରୀ ଓ କୋଣାର୍କ ଯିବେ। ଆଜି ସନ୍ଧ୍ୟାରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ବିମାନ ବନ୍ଦରରୁ ସିଧାସଳଖ ରାଜଭବନ ଯିବେ ଏବଂ ସେଠାରେ  ରାତ୍ରିଯାପନ କରିବେ। ତେବେ ଏନେଇ ରାଜଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଆଜି ସଂଧ୍ୟା ୬ଟା ୨୫ରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସଂଧ୍ୟା ୬ଟା ୩୫ରେ ଭୁବନେଶ୍ବର ରାଜଭବନ ପହଞ୍ଚିବେ ରାଷ୍ଟ୍ରପତି। ୨୧ତାରିଖ ସକାଳ ୮ଟା ୪୦ରେ ଭୁବନେଶ୍ବରରୁ ବାହାରି ଝାରସୁଗୁଡ଼ା ଏୟାରପୋର୍ଟରେ ସକାଳ ୯ଟା ୪୫ରେ ପହଞ୍ଚିବେ । ସେଠାରୁ ୯ଟା ୫୫ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାହାରିବେ । ରାଉରକେଲା ଏୟାରଷ୍ଟ୍ରିପ୍ ରେ ୧୦ଟା ୩୫ରେ ପହଞ୍ଚି, ୧୦ଟା ୫୫ରେ ଏନ.ଆଇ.ଟି ରାଉରକେଲାରେ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ।

ଏହାପରେ ଅପରାହ୍ନ ୩ ଟା ୪୫ରେ ରାଉରକେଲାରେ ସୁପର ସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କରିବେ। ସେଠାରୁ ଫେରି ପୁଣି ସଂଧ୍ୟା ୬ଟା ୩୦ରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ ରାଷ୍ଟ୍ରପତି । ୨୨ ତାରିଖ ସକାଳ ୮ଟା ୪୫ରେ ପୁରୀ ହେଲିପ୍ଯାଡ୍ ରେ ପହଞ୍ଚିବେ । ସକାଳ୯ଟା ୫ରୁ ୯ଟା ୪୫ ଯାଏ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ ରାଷ୍ଟ୍ରପତି। ଏହାପରେ ପୂର୍ବାହ୍ନ ୧୦ ଟା ୪୫ରୁ ୧୧ଟା ୧୫ ପର୍ଯ୍ୟନ୍ତ ଅଧଘଣ୍ଟା କୋଣାର୍କ ସୂର୍ଯ୍ଯମନ୍ଦିର ବୁଲି ଦେଖିବେ ଦେଶର ପ୍ରଥମ ନାଗରିକ।ସେହିପରି ପୂର୍ବାହ୍ନ ୧୧ଟା ୨୦ରେ କୋଣାର୍କ ଇଣ୍ଟରପ୍ରିଟେସନ ସେଣ୍ଟର ବୁଲିଦେଖିବେ ରାଷ୍ଟ୍ରପତି। ପୂର୍ବାହ୍ନ ୧୧ଟା ୩୦ରୁ ୧୨ଟା ଯାଏ ଇଣ୍ଡିଆନ ଅୟେଲ ଫାଉଣ୍ଡେସନ ଟ୍ରଷ୍ଟ ଇଣ୍ଟରପ୍ରିଟେସନ୍ ସେଣ୍ଟର ବୁଲି ଦେଖିବେ ଦେଶର ପ୍ରଥମ ନାଗରିକ। ଅପରାହ୍ନ ୪ଟା ୪୫ରେ ଭୁବନେଶ୍ବର ଏୟରପୋର୍ଟରେ ପହଞ୍ଚି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ତେବେ ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ ସମୟରେ ତାଙ୍କ ସହ ବିମାନରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଉରକେଲା ଆସିବେ। ଶ୍ରୀ ପ୍ରଧାନ ରାଷ୍ଟ୍ରପତିଙ୍କ ବିମାନରେ। ଏତଦ୍‌ବ୍ୟତୀତ ରାଷ୍ଟ୍ରପତିଙ୍କ ସହିତ ୪୫ ଜଣ ବ୍ୟକ୍ତିଗତ ସହାୟକ, ସୁରକ୍ଷା ଅଧିକାରୀ, ମେଡିକାଲ ଷ୍ଟାଫ୍‌, କର୍ମଚାରୀ ରହିବେ। ରାଷ୍ଟ୍ରପତି ରାଉରକେଲା ହାଉସ୍‌ରେ ବିଶ୍ରାମ ନେବେ। ତେବେ ଅନ୍ୟ ଅଧିକାରୀମାନଙ୍କୁ ଅନ୍ୟ ସ୍ଥାନରେ ରଖାଯିବ।

ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ପରସା ଯିବାକୁ ଥିବା ବ୍ୟଞ୍ଜନ ଉପରେ ମଧ୍ୟ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି । ରାଷ୍ଟ୍ରପତି ରାଉରକେଲା ହାଉସ୍‌ରେ ମଧ୍ୟାହ୍ନ ଭୋଜନ ଗ୍ରହଣ କରିବେ । ମଧ୍ୟାହ୍ନ ଭୋଜନର ମେନ୍ୟୁ କ’ଣ ରହିବ, ତାହା ଏଯାଏଁ ଚୂଡ଼ାନ୍ତ ହୋଇନି । ‌ରାଷ୍ଟ୍ରପତି ଭବନରୁ ଏଯାଏଁ ମେନ୍ୟୁ ତାଲିକା ଦିଆଯାଇନି । ତେବେ ରାଷ୍ଟ୍ରପତିଙ୍କ ମଧ୍ୟାହ୍ନ ଭୋଜନ ପାଇଁ ରାଷ୍ଟ୍ରପତିଙ୍କ ରୋଷେୟା ମଧ୍ୟ ରାଉରକେଲା ଆସିବେ । ତେବେ ତାଙ୍କୁ ସହଯୋଗ କରିବାକୁ ସ୍ଥାନୀୟ ମେ’ ଫେୟାର ହୋଟେଲ୍‌ର ୧୫ ଜଣ ରୋଷେୟା ମଧ୍ୟ ରହିବେ। ତେବେ ସ୍ବଳ୍ପ ଲୁଣ, ତେଲ, ଚିନି ମିଶ୍ରିତ ଖାଦ୍ୟ ତିଆରି ହେବ । ଏହାସହ ଡ୍ରାଏ ଫୁଡ୍‌ର ମଧ୍ୟ ବ୍ୟବସ୍ଥା ରହିଛି ।