Odia News Portal

ଆବାସ ଯୋଜନାରେ କେନ୍ଦ୍ରକୁ ବିଜେଡିର ଟାର୍ଗେଟ

ଭୁବନେଶ୍ୱର : ଓଡିଶା ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ)ରେ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ସାମାଜିକ ଅର୍ଥନୈତିକ ଜାତି ଭିତିକ ଗଣନା (ଏସଇସିସି) ତାଲିକାରୁ ପକ୍କାଘର ଦେଇଥାନ୍ତି । ବର୍ତ୍ତମାନ ଏହି ଏସଇସିସିରେ ଥିବା ପ୍ରତୀକ୍ଷା ତାଲିକା (ୱେଟିଙ୍ଗ ଲିଷ୍ଟ) ସମ୍ପୂର୍ଣ୍ଣ ହୋଇଯାଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଅବହେଳା ପାଇଁ ଓଡିଶାକୁ ଦିଆଯାଇଥିବା ୬ଲକ୍ଷ ଘରର ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ ବୋଲି ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଚାନ୍ଦବାଲି ବିଧାୟକ ତଥା ମୁଖପାତ୍ର ଓ ବିଜୁ ଯୁବ ଜନତାଦଳ ରାଜ୍ୟ ସଭାପତି ଡଃ.ବ୍ୟୋମକେଶ ରାୟ ଓ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ।

ଉଭୟ ନେତା ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଫନି ଦ୍ୱାରା ରାଜ୍ୟର ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିଲା । ସେତେବେଳେ ଗୋଟିଏ ମାସ ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ୱେବପୋର୍ଟାଲ ଖୋଲା ଥିଲା । ପାଖାପାଖି ୮ଲକ୍ଷ ଘରକୁ ଆବାସ ଯୁକ୍ତ ଯୋଜନାରେ ତାଲିକାଭୁକ୍ତ କରାଯାଇଛି । କିନ୍ତୁ ଏ ପର୍ଯ୍ୟନ୍ତ ସ୍ଥାୟୀ ପ୍ରତୀକ୍ଷା ତାଲିକା ଅର୍ନ୍ତଭୁକ୍ତ କରାଯାଇ ନାହିଁ । ଫନି ହୋଇନଥିବା ରାଜ୍ୟର ଅନ୍ୟ ୧୬ଟି ଜିଲ୍ଲାରେ ପାଖାପାଖି ୬ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୁକ୍ତ ଯୋଜନାରେ ମଧ୍ୟ ସାମିଲ କରାଯାଇ ନାହିଁ । କିନ୍ତୁ ରାଜ୍ୟ ସରକାର ସେହି ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ସହିତ ତାଲିକା ପ୍ରସ୍ତୁତ କରିଛନ୍ତି । ଏଭଳି ଭାବେ ମୋଟ୍ ୧୪ଲକ୍ଷ ଯୋଗ୍ୟ ହିତାଧିକାରୀ କେନ୍ଦ୍ର ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଘର ପାଇବାରୁ ବଂଚିତ ହୋଇଛନ୍ତି ।

ଫନି ପ୍ରଭାବିତ ଲୋକମାନଙ୍କୁ ପକ୍କାଘର ଦେବାର ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ର ସରକାର । ବିଭିନ୍ନ ସମୟରେ ଆଧାରକାର୍ଡ ଓ ଜବ୍ କାର୍ଡ ଭଳି ଆନୁଷଙ୍ଗିକ କାଗଜପତ୍ର ବାରମ୍ବାର ମଗାଯାଇଥିଲା । ଓଡିଶା ସରକାର ଏହାକୁ ଯୋଗାଇ ଦେବା ସତ୍ୱେ କୌଣସି ଘର ମିଳିଲା ନାହିଁ । ଯେଉଁଥିରୁ କେନ୍ଦ୍ର ସରକାରଙ୍କର ଓଡିଶା ପ୍ରତି ଥିବା ବୈମାତୃକ ମନୋଭାବ ସ୍ପଷ୍ଟ ଭାବେ ବାରିହୋଇ ଯାଉଛି । କିଛିଦିନ ତଳେ ଦୁଇଜଣ ସାଂସଦଙ୍କ ଅଭିଯୋଗ କ୍ରମେ କେନ୍ଦ୍ରର ୭ଜଣିଆ ଟିମ୍ ଓଡିଶା ଆସିଥିଲେ । ୮୭୨ଟି ଘର ଉପରେ ଅଭିଯୋଗ ହୋଇଥିଲା । ସେଥିରୁ ମୋଟ୍ ୯୦ଜଣ ଘର ପାଇଛନ୍ତି । ଏହି ଅଳ୍ପ ସଂଖ୍ୟକ ଲୋକଙ୍କୁ ଆଳ କରି କେନ୍ଦ୍ର ସରକାର ସମଗ୍ର ରାଜ୍ୟବାସୀଙ୍କ ସ୍ୱାର୍ଥ ସହ ଖେଳୁଛନ୍ତି ।