କଟା ଜିନ୍ସ ବିବାଦରେ ନଇଁଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ
କଟା ଜିନ୍ସ କଥା ସଂସ୍କାର ପରିପ୍ରେକ୍ଷରେ ସେ କହିଥିବାର କଲେ ସ୍ୱୀକାର
ଉତ୍ତରାଖଣ୍ଡ: କଟା ଜିନ୍ସ ମନ୍ତବ୍ୟ ଲାଗି ଶେଷରେ କ୍ଷମାଯାଚନା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ । ତାଙ୍କ କଥା ଯଦି କାହାକୁ ଖରାପ ଲାଗିଛି ଏଥିପାଇଁ ମୁଁ କ୍ଷମାପ୍ରାର୍ଥନା କରୁଛି ବୋଲି ରାୱତ ଶୁକ୍ରବାର କହିଛନ୍ତି। ଗଣମାଧ୍ୟମ ସହ ଅନୌପଚାରିକ ଆଲୋଚନାରେ ଜିନ୍ସ ପ୍ରତି ତାଙ୍କର କୌଣସି ଦୁର୍ଭାବନା ନାହିଁ ବୋଲି କହିଛନ୍ତି। ଏପରିକି ଅତୀତରେ ମଧ୍ୟ ସେ ଜିନ୍ସ ପିନ୍ଧୁଥିଲେ ବୋଲି କହିଛନ୍ତି। କଟା ଜିନ୍ସ କଥା ସଂସ୍କାର ପରିପ୍ରେକ୍ଷରେ ସେ କହିଥିବାର ସ୍ୱୀକାର କରିଛନ୍ତି।
ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କହିଛନ୍ତି ଯେ, ଯଦି କିଏ କଟା ଜିନ୍ସ ପିନ୍ଧିବା ଦରକାର ବୋଲି ଭାବନ୍ତି ଏଥିରେ ମୋର କୌଣସି ଆପତ୍ତି ନାହିଁ। ମୋ କଥା ଯଦି କାହାରିକୁ ଖରାପ ଲାଗିଥାଏ ତେବେ ଏଥିପାଇଁ କ୍ଷମା ନିବେଦନ କରୁଛି। ସେ କହିଛନ୍ତି ଯେ ଯଦି ଆମେ ପିଲାଙ୍କୁ ସଂସ୍କାର ଶିଖାଇବା ଓ ତାଙ୍କ ମଧ୍ୟରେ ଅନୁଶାସନ ସୃଷ୍ଟି କରିବା ଏଥିରେ ଆମେ ବିଫଳ ହେବାନି ବୋଲି କହିଛନ୍ତି। ନିଜକୁ ଗ୍ରାମୀଣ ପରିବେଶରୁ ଆସିଥିବା ଜଣେ ସାଧାରଣ ମଣିଷ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ସ୍କୁଲ ଦିନମାନଙ୍କରେ ପୋଷାକ ଚିରି, ଫାଟି ଯାଉଥିଲେ ଆମେ ବହୁତ ଡରିଯାଉଥିଲୁ । ଏଥିଲାଗି ଶିକ୍ଷକ ଦଣ୍ଡିତ କରିବେନି ତ ଏପରି ଭୟ ଆମ ମଧ୍ୟରେ ରହୁଥିଲା ବୋଲି କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଆଜିକାଲିର ପିଲାମାନେ ୪-୫ ହଜାର ଟଙ୍କାର ମହଙ୍ଗା ଜିନ୍ସ କିଣିଆଣୁଛନ୍ତି ଓ ଘରେ କଇଁଚିରେ କାଟି ପିନ୍ଧୁଛନ୍ତି । ତେବେ ମୁଁ କହିଥିବା କଥା ମୋ ଉପରେ ମଧ୍ୟ ଲାଗୁ କାରଣ ମୋର ବି ଝିଅଟିଏ ଅଛି। ମୁଁ ଘରେ ସଂସ୍କାରର କଥା କହିଛି। କେବଳ ପୁସ୍ତକ ଜ୍ଞାନ ଜ୍ଞାନ ନୁହେଁ ପିଲାଙ୍କ ମଧ୍ୟରେ ସଂସ୍କାର ମଧ୍ୟ ସୃଷ୍ଟି କରାଯିବା ଦରକାର ବୋଲି କହିଛନ୍ତି। ତେବେ ରାବତଙ୍କ ନିସର୍ତ୍ତ କ୍ଷମା ଯାଚନା ପରେ ଗତ ୨-୩ ଦିନ ହେଲା ତାଙ୍କ କଟା ଜିନ୍ସ ମନ୍ତବ୍ୟକୁ ନେଇ ସାରା ଦେଶରେ ହେଉଥିବା ଚର୍ଚ୍ଚାରେ ବିରାମ ଲଗାଇବ ବୋଲି ସେ ଆଶାପ୍ରକାଶ କରିଛନ୍ତି।