Odia News Portal

ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ସ୍ୱରେଜ ଟାଙ୍କି ସଫା କଲା ସମୟରେ ଘଟିଲା ଅଘଟଣ

ଭୁବନେଶ୍ୱର: ସ୍ୱରେଜ ଟାଙ୍କି ସଫା କଲା ସମୟରେ ଘଟିଲା ଅଘଟଣ । ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବଡ଼ଗଡ଼ ଥାନା ଅନ୍ତର୍ଗତ ଟଙ୍କପାଣି ରୋଡ ନିକଟସ୍ଥ ବ୍ରହ୍ୱେଶ୍ୱରବାଗରେ ସ୍ୱେରେଜ ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହେବାରୁ ୨ ଜଣ ଶ୍ରମିକଙ୍କ ମୃତୁ୍ୟ ଘଟିଛି । ମୃତ ଶ୍ରମିକ ଦ୍ୱୟ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ସିଲୁ ବରୁଆ ଓ ସୁନାରାମ ସର୍ଦ୍ଧାର । ତେବେ ସ୍ୱେରେଜ ଠିକା ନେଇଥିବା ଠିକାଦାରଙ୍କୁ ବଡ଼ଗଡ଼ ଥାନା ପୋଲିସ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ପ୍ରାୟ ୯ଟା ସମୟରେ ବ୍ରହ୍ମେଶ୍ୱର ବାଗରେ ଥିବା ସ୍ୱେରେଜ ଟାଙ୍କି ସଫା କରିବାକୁ ଠିକାଦାର ଜଣଙ୍କ ଦୁଇଜଣ ଶ୍ରମିକଙ୍କୁ ନେଇ ସେଠାରେ ପହଞ୍ଚିଥିଲେ । ପରେ ଠିକାଦାର ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ତେବେ ପ୍ରଥମେ ଜଣେ ଶ୍ରମିକ ଟାଙ୍କି ସଫା କରିବାକୁ ୨୦ଫୁଟର ତଳକୁ ଯାଇଥିଲେ । ବେଶ କିଛି ସମୟ ଧରି ସେ ବାହାରକୁ ନ ଆସିବାରୁ ଅନ୍ୟ ଜଣେ ଶ୍ରମିକ ମଧ୍ୟ ଟାଙ୍କି ମଧ୍ୟକୁ ଯାଇଥିଲେ । ତେବେ ଉଭୟ ସ୍ୱେରେଜର ଢ଼ାଙ୍କୁଣି ଖୋଲି ଟାଙ୍କି ଭିତରକୁ ଯିବାର ବହୁ ସମୟ ପର୍ଯ୍ୟନ୍ତ ନ ଆସିବାରୁ ସ୍ଥାନୀୟ ଲୋକେ ଏନେଇ ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ । ଦମକଳ କର୍ମଚାରୀ ପହଞ୍ଚିବା ପରେ ଉଭୟ ଶ୍ରମିକଙ୍କୁ ଅଚେତ ଅବସ୍ଥାରେ ଟାଙ୍କିରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ । ହସ୍ପିଟାଲରେ ଉଭୟ ଶ୍ରମିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଶ୍ରମିକମାନେ ଟାଙ୍କି ସଫା କରିବାକୁ ୨୦ ଫୁଟ ତଳକୁ ଯାଇଥିଲେ ମଧ୍ୟ ସେମାନଙ୍କ ନିକଟରେ ଅମ୍ଲଜାନ କିମ୍ବା ସେମାନଙ୍କ ଅଣ୍ଟାରେ ଦୌଡ଼ି ବନ୍ଧା ହୋଇ ନ ଥିଲା । ତେଣୁ ଠିକାଦାରଙ୍କ ଭୁଲ ଯୋଗୁଁ ଏଭଳି ହୋଇଥିବା ପ୍ରାଥମିକ ପର୍ଯ୍ୟାୟରେ ପୋଲିସକୁ ସୂଚନା ଦେବା ପରେ ପୋଲିସ ଠିକାଦାରଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି ।