Odia News Portal

ଓମ୍‌ଫେଡ୍‌ ପାଇଁ ବଡ ଚ୍ୟାଲେଞ୍ଜ ହେଲାଣି ଅମୁଲ

କୁମ୍ଭକର୍ଣ୍ଣ ନିଦ୍ରାରେ କର୍ତ୍ତୃପକ୍ଷ

ଭୁବନେଶ୍ୱର :  ରାଜ୍ୟର ସର୍ବବୃହତ୍‌ ଦୁଗ୍ଧ ସଂଗ୍ରହକାରୀ ସରକାରୀ ଅନୁଷ୍ଠାନ ଓମ୍‌ଫେଡ୍‌ ପାଇଁ ଅମୁଲ ବଡ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି । ଗୁଜୁରାଟର ଏହି ସଂସ୍ଥା ଯଦି ଠିକ୍‌ଠାକ୍‌ ତାହାର କାମ କରେ ତେବେ ଓମ୍‌ଫେଡ୍‌ରେ ତାଲା ପଡିବାକୁ ବେଶିଦିନ ଲାଗିବନାହିଁ ବୋଲି ଦୁଗ୍ଧଚାଷୀମାନେ କହୁଛନ୍ତି । 

ରାଜ୍ୟରେ ନିଜର ଉତ୍ପାଦନ ବିକ୍ରି କରୁଥିବା ଅମୁଲ ଏବେ ଗାଁ ଗହଳରୁ ଦୁଗ୍ଧ ସଂଗ୍ରହ ପାଇଁ ପ୍ରସ୍ତୁତ । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଗାଁ ଗହଳ ବିଶେଷକରି ଓମ୍‌ଫେଡ୍‌ର ଦୁଗ୍ଧ ଗଡ କୁହାଯାଉଥିବା ଉପକୂଳ ଜିଲ୍ଲାରୁ ତାହାର ଦୁଗ୍ଧ ସଂଗ୍ରହ ଆରମ୍ଭ କରିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଦୁଗ୍ଧ ସଂଗ୍ରହ ପାଇଁ ଯୁବକମାନଙ୍କୁ ତାଲିମ ସହିତ ଲକ୍ଷାଧିକ ଟଙ୍କାର ଅତ୍ୟାଧୁନିକ ଦୁଗ୍ଧ ପରୀକ୍ଷା ଓ ଅନ୍ୟାନ୍ୟ ଯନ୍ତ୍ରପାତି ବିନା ମୂଲ୍ୟରେ ଯୋଗାଇଦେଇଛି । ଯେଉଁ ଚାଷୀମାନେ ଅମୁଲକୁ ଦୁଗ୍ଧ ଦେବେ ସେମାନେ ଓମ୍‌ଫେଡ୍‌ ଓ ଅନ୍ୟାନ୍ୟ ସଂସ୍ଥା ତୁଳନାରେ ଅଧିକ ଅର୍ଥ ପାଇବେ ବୋଲି କୁହାଯାଉଛି । ଏଥି ସହିତ ଆକର୍ଷଣୀୟ ଅଫର ମଧ୍ୟ ରହିଥିବା ନେଇ ସୂଚନା ମିଳିଛି । ଏହାଦ୍ୱାରା ଓମ୍‌ଫେଡ୍‌ ସିଧାସଳଖ କ୍ଷତିଗ୍ରସ୍ତ ହେବବୋଲି ଦୁଗ୍ଧଚାଷୀମାନେ କହୁଛନ୍ତି । 

ଅନ୍ୟ ପକ୍ଷରେ ସରକାରୀ ସଂସ୍ଥା ଓମ୍‌ଫେଡ୍‌ ଦିନକୁ ଦିନ ତଳକୁ ତଳକୁ ଯାଉଛି । ଓମ୍‌ଫେଡ୍‌ ତୁଳନାରେ ଅନ୍ୟ ଘରୋଇ ଦୁଗ୍ଧ ସଂଗ୍ରହକାରୀ ସଂସ୍ଥାମାନେ ଏଜେଣ୍ଟମାନଙ୍କୁ ୮/୧୦ଗୁଣ ଅଧିକ କମିଶନି ଦେଇ ସେମାନଙ୍କର ବେପାର ବଢାଇବାରେ ଲାଗିଛନ୍ତି । ଅନେକ ସ୍ଥାନରେ ଓମ୍‌ଫେଡ୍‌ରେ କାର୍ଯ୍ୟରତ କର୍ମଚାରୀମାନେ ନିଜ ସମ୍ପର୍କୀୟଙ୍କ ନାମରେ ଘରୋଇ କମ୍ପାନୀର ଛଦ୍ମ ଏଜେଣ୍ଟ ସାଜିଛନ୍ତି । ବର୍ତ୍ତମାନ ଅମୁଲ ପ୍ରବେଶ କରିବାପରେ ସେମାନଙ୍କ ମଧ୍ୟରୁ କିଛି ଅମୁଲର ଏଜେଣ୍ଟ ହୋଇଥିବାବେଳେ ଚାଷୀମାନଙ୍କୁ ଅମୁଲକୁ ଦୁଗ୍ଧ ଦେବାପାଇଁ ପ୍ରବର୍ତ୍ତାଉଛନ୍ତି । 

ଏଣେ ଅମୁଲ ଗାଁ ଗାଁରେ ନିଜର ସଂଗ୍ରହକେନ୍ଦ୍ର ପ୍ରତିଷ୍ଠା କରିଥିବାବେଳେ ଓମ୍‌ଫେଡ୍‌ କର୍ତ୍ତୃପକ୍ଷ କୁମ୍ଭକର୍ଣ୍ଣ ନିତ୍ରାରେ ଶୋଇଥିବା ଅଭିଯୋଗ ହେଉଛି । ଚାଷୀଙ୍କୁ ପୂର୍ବଭଳି ସୁବିଧା ସୁଯୋଗ ଦେଉନଥିବା ଏହି ସରକାରୀ ସଂସ୍ଥା କିଭଳି ଚାଷୀଙ୍କୁ ନିଜ ପାଖରେ ଧରି ରଖିପାରିବ ତାହା ଏକ ବଡ ପ୍ରଶ୍ନବାଚୀ । କାରଣ ଏହି ସରକାରୀ ସଂସ୍ଥା ଖୋଦ ରାଜଧାନୀରେ ତାହାର ବିକ୍ରୟ କେନ୍ଦ୍ରକୁ ଚଳାଇ ନପାରି ଭଡାରେ ଲଗାଇଛି । କେଉଁଠି ଚାଉଳ ବିକ୍ରି ହେଲାଣି ତ ଆଉ କେଉଁଠି ଛତୁଆ । 

କିଛି ଦୁଗ୍ଧ ଚାଷୀଙ୍କ କହିବାକଥା ଯେ ଓମ୍‌ଫେଡ୍‌ର ଅପାରଗତାର ସୁଯୋଗ ନେଇ ଅମୁଲ ଓଡିଶାରେ ପ୍ରବେଶ କଲା । ଧିରେ ଧିରେ ଏହା ଓମ୍‌ଫେଡକୁ ଗିଳିବା ସହିତ ଦିନ ଆସିବ ତାହାକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ନେଇଯିବ । ଦକ୍ଷ ସୁପରିଚାଳନା, ଆକର୍ଷଣୀୟ ଅଫର ଦ୍ୱାରା ଚାଷୀଙ୍କୁ ଆକୃଷ୍ଣ କରିବା ସହିତ ନିଜ ଉତ୍ପାଦକୁ ଗାଁ ଗହଳରେ ପ୍ରବେଶ କରିବାର ସୁଯୋଗ ପାଇଛି ଅମୁଲ । ଏହା କେବଳ ଓମ୍‌ଫେଡର ଦୁଗ୍ଧ ସଂଗ୍ରହକୁ ପ୍ରଭାବିତ କରିବନାହିଁ, ଏହାର ସାମଗ୍ରୀ ମଧ୍ୟ ସବୁ ଠାରେ ଅମୁଲ ସହିତ କଡା ମୁକାବିଲାର ସମ୍ମୁଖୀନ ହେବବୋଲି କୁହାଗଲାଣି ।