ଭୁବନେଶ୍ବର: ଟି-ସାର୍ଟ ପିନ୍ଧି ସଂସଦ ଅଧିବେଶନରେ ସାମିଲ ହେଲେ ବିଜେଡି ସାଂସଦ ଅନୁଭବ ମହାନ୍ତି । ଅନୁଭବଙ୍କ ଟି-ସାର୍ଟକୁ ନେଇ ଯେତିକି ଚର୍ଚ୍ଚା ହେଉନି ସେତିକି ତାଙ୍କ ଟି-ସାର୍ଟରେ ଥିବା ଲେଖାକୁ ନେଇ ହେଉଛି । ସାଂସଦ ଅନୁଭବଙ୍କ ଟି-ସାର୍ଟରେ #NoMore50 ଲେଖାଥିବା ଦେଖିବାକୁ ମିଳିଛି । ସାଂସଦ ଅନୁଭବ ମହାନ୍ତି ପଶୁବିରୋଧୀ ହିଂସା ଓ ଅତ୍ୟାଚାର ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ # NoMore50 ନାଁରେ ଟ୍ରେଣ୍ଡ କରୁଛି ।
ଅଭିଯାନ ଆଧାରରେ ସେ ସଂସଦରେ # NoMore50 ଲେଖାଯାଇଥିବା ଟି-ସାର୍ଟ ପିନ୍ଧି ପହଞ୍ଚିଥିବା ଦେଖିବାକୁ ମିଳିଥିଲା । ସାଂସଦ ଅନୁଭବ ସେହି ଟି-ସାର୍ଟ ପିନ୍ଧି ସଂସଦର ଆଲୋଚନାରେ ମଧ୍ୟ ସାମିଲ ହୋଇଥିଲେ ।ସାଂସଦ ଅନୁଭବ ମହାନ୍ତି ପଶୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ରୋକିବା ପାଇଁ ଦୃଢ ଆଇନ ଆଣିବା ପାଇଁ ସ୍ବର ଉଠାଉଛନ୍ତି । କାରଣ ସମାଜରେ ରହୁଥିବା କୌଣସି ପଶୁ ପ୍ରତି ଯେପରି କୌଣସି ଅତ୍ୟାଚାର ନହେଉ । ତାଙ୍କ କହିବା ଅନୁସାରେ ଲୋକମାନେ ପଶୁମାନଙ୍କୁ ସ୍ନେହ ଶ୍ରଦ୍ଧା କରିବା ଉଚିତ୍ । ପଶୁମାନଙ୍କ ପ୍ରତି ଅତ୍ୟାଚାର କରିବା ଅନୁଚିତ୍ । ଏଥିପାଇଁ ଦୃଢ ଆଇନ ପ୍ରଣୟନ କରାଯିବାର ମଧ୍ୟ ଆବଶ୍ୟକତା ରହିଛି ।
ଉଲ୍ଲେଖଯୋଗ୍ୟ ଯେ, ଗୌରୀ ମୌଲେଖି ନାମକ ଜଣେ ଟ୍ବିଟର ୟୁଜର ସାଂସଦ ଅନୁଭବ ମହାନ୍ତିଙ୍କ ଟି-ସାର୍ଟ ପିନ୍ଧି ସଂସଦରେ ବସିବାର ଫଟୋ ସେୟାର କରି ତାଙ୍କର ଏଭଳି ଅଭିଯାନକୁ ପ୍ରଶଂସା କରିଛନ୍ତି । ଗୌରୀ ମୌଲେଖି ନାମକ ଟ୍ବିଟର ୟୁଜର ଲେଖିଛନ୍ତି, ଅନୁଭବ ମହାନ୍ତି ଜଣେ ଯୁବ ସାଂସଦ । ସେ ତାଙ୍କ ଟି-ସାର୍ଟ ମାଧ୍ୟମରେ ଏକ ବାର୍ତ୍ତା ଦେଉଛନ୍ତି । ଉନ୍ନତ ଭାରତ ପାଇଁ ପିସିଏ ଅଧିନିୟମର ସଂଶୋଧନକୁ ସାଂସଦମାନେ ସମର୍ଥନ କରିବା ଉଚିତ୍।