ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଂଚଳରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ । ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟଣାରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଏ ନେଇ ବାଲିଅନ୍ତା ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମହିଳା ଜଣକ ୫ ମାସର ଗର୍ଭବତୀ ଥିଲେ ।
ସୂଚନା ଅନୁଯାୟୀ, ୨୦୧୯ ଡିସେମ୍ବର ମାସରେ ସୁବିର ମୁଦୁଲିଙ୍କୁ ବିବାହ କରିଥିଲେ ନୟାଗଡର ସୁଚିସ୍ମିତା ସାହୁ । ଉଭୟ ଉଚ୍ଚଶିକ୍ଷିତ । ପାହଳରେ ସ୍ୱାମୀ ସୁବିରଙ୍କ ସହ ରହୁଥିଲେ ସୁଚିସ୍ମିତା ।ଗତକାଲି ମହିଳା ଜଣକ ରୁମ୍ରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।
ପରିବାର ଲୋକଙ୍କ କହିବା ଅନୁଯାୟୀ,ଗତକାଲି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସୁଚିସ୍ମିତା ବାପାଙ୍କୁ ଫୋନ କରିଥିଲେ । ସେ ଆଉ ସ୍ୱାମୀଙ୍କ ପାଖରେ ରହିବେ ନାହିଁ ବୋଲି କହିଥିଲେ । ପରେ ସୁଚିସ୍ମିତା ଘର କବାଟ ଭିତରୁ ବନ୍ଦ କରିଦେଇଥିବା ନେଇ ଶ୍ୱଶୁରଙ୍କୁ ଫୋନ କରିଥିଲେ ସ୍ୱାମୀ ସୁବିର । ପରେ ସୁଚିସ୍ମିତାଙ୍କ ବାପା-ମାଆ ନୟାଗଡରୁ ଆସି ପାହଳରେ ପହଂଚିଲା ବେଳକୁ ଝିଅର ମୃତ୍ୟୁ ହୋଇସାରିଛି । ଝିଅକୁ ହତ୍ୟା କରାଯାଇଥିଲା ନେଇ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସୁଚିସ୍ମିତାଙ୍କ ବାପା-ମାଆ ।
ଅନ୍ୟପଟେ ପୀଡିତାଙ୍କ ଭାଇଙ୍କ କହିବା ଅନୁଯାୟୀ କଟକ ସିଡିଏରେ ୧୮ ଲକ୍ଷ ଟଙ୍କା ଦେଇ ଜାଗା କିଣିବେ ବୋଲି କହିଲେ। ସେଥିପାଇଁ ମୋ ଭଉଣୀକୁ କିଛି ଟଙ୍କା ଦିଅ ବୋଲି କହିଥିଲେ । ହେଲେ ମୋ ଭଉଣୀ ମନା କରିଥିଲେ। ତାପରେ ଶାଶୂ ଘର ଲୋକେ କହିଲେ ବାପାଙ୍କୁ ମାଗ। ବାପା ଆସି ବୁଝାବୁଝି କରି ଦେଢ଼ ଲକ୍ଷ ଟଙ୍କା ଦେଇ ଯାଇଥିଲେ। କିନ୍ତୁ ପରେ ମୋ ଭଉଣୀକୁ ମାରି ଦେଇଥିବା ସେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।