କଟକ: କରୋନା ଲକ୍ ଡାଉନ୍ ସମୟରେ ମୋବାଇଲ୍ ରିଚାର୍ଜ ଓ ଟିଭି ରିଚାର୍ଜରେ ଆକର୍ଷଣୀୟ ଅଫର ଆଳରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ । କଟକ ବୟାଳିଶ ମୌଜା ଅଞ୍ଚଳର ସାଂଘଭୀ ଏଣ୍ଟରପ୍ରାଇଜର୍ସର ମାଲିକ ବିପ୍ର ସ୍ବାଇଁକୁ ଗିରଫ କରିଛି କଟକ ସଦର ଥାନା ପୋଲିସ । ଗିରଫ ବିପ୍ରଙ୍କଠାରୁ ବିଭିନ୍ନ ଠକେଇ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ ।
ସୂଚନା ଅନୁଯାୟୀ, ବହୁ ଚର୍ଚ୍ଚିତ ଅନଲାଇନ୍ ରିଚାର୍ଜ ଠକେଇ ମାମଲାରେ କମ୍ପାନୀ ମୁଖ୍ୟ ବିପ୍ର ପ୍ରସାଦ ସ୍ୱାଇଁ ଗିରଫ । ତାଙ୍କ ନାଁରେ କୋଟି କୋଟି ଟଙ୍କାର ଠକେଇ ନେଇ ଅଭିଯୋଗ ରହିଛି । ସାଙ୍ଗଭି ଏଜେନ୍ସି ନାଁରେ ସାରା ରାଜ୍ୟରୁ ଠକିଥିଲେ କୋଟି କୋଟି ଟଙ୍କା । ପୂର୍ବରୁ ଏନେଇ କଟକରେ ଡିସିପିଙ୍କୁ ଭେଟିଥିିଲେ ଠକେଇର ଶିକାର ହୋଇଥିବା ଏଜେଂଟ । କମ୍ ଟଙ୍କାରେ ବର୍ଷକ ପାଇଁ ମୋବାଇଲ୍ ରିଚାର୍ଜ କରାଇଦେବାକୁ କେହି ଟଙ୍କା ନେଇ ଦଲାଲ ଠକୁଥିବା ଅଭିଯୋଗ ହୋଇଥିଲା ।କଟକ ୪୨ ମୌଜା ଅଂଚଳରେ ଥିବା ସାଙ୍ଗଭି ଏଂଟରପ୍ରାଇଜର୍ସ କଟକରେ ପ୍ରାୟ ୩୦୦ରୁ ଅଧିକ ଏଜେଂଟଙ୍କ ଜରିଆରେ ୫୦ ହଜାର ଲୋକଙ୍କୁ ଏପରି ସ୍କିମରେ ସାମିଲ କରିଥିଲା । ୯୯୯ ଟଂକାରେ ବର୍ଷକ ପାଇଁ ରିଚାର୍ଜ କରିବାକୁ ଲୋକଙ୍କୁ ଦେଇଥିଲା ଲୋଭନୀୟ ଅଫର । ତେବେ ଦୁଇ ତିନି ମାସ ମୋବାଇଲ ରିଚାର୍ଜ ହେବା ପରେ ସଂସ୍ଥା ଆଉ ମୋବାଇଲ୍ ରିଚାର୍ଜ କରିନଥିଲା ।
ତେବେ ଠକାମୀର ଶିକାର ହେବା ଜାଣିବା ପରେ ଉଭୟ ଗ୍ରାହକ ଓ ଏଜେଣ୍ଟ କଟକ ବୟାଳିଶ ମୌଜାର ସାଂଘଭୀ ଏଣ୍ଟରପ୍ରାଇଜର୍ସ ନାମରେ କଟକ ସଦର ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ତଦନ୍ତ କରି ବିପ୍ରଙ୍କୁ ଗିରଫ କରିବାରେ ସଫଳ ହୋଇଛି ।