Odia News Portal

ବୈତରଣୀ ଗର୍ଭରେ ପୁରାତନ ମନ୍ଦିର ଓ ଶିବଲିଙ୍ଗ

ଶିବ ଲିଙ୍ଗକୁ ପୂଜାର୍ଚ୍ଚନା ସହ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

ଯାଜପୁର: ବାଲି ଖୋଳା ଚାଲିଥିବା ବେଳେ ବୈତରଣୀ ନଦୀ ଗର୍ଭରୁ ଉଭା ହେଲେ ଶିବଲିଙ୍ଗ ।ସେହିଭଳି ନଦୀ ପଠାରେ ଦେଖିବାକୁ ମିଳିଛି ଆଉ ଏକ ମନ୍ଦିର ମୁଖଶାଳା । ଯାହାକୁ ଦେଖିବାକୁ ଲୋକଙ୍କ ଭିଡ ଲାଗିରହିଛି । ନଦୀଗର୍ଭରେ ବାହାରି ଥିବା ଶିବ ଲିଙ୍ଗକୁ ପୂଜାର୍ଚ୍ଚନା ସହ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି । ଘଟଣାସ୍ଥଳରେ ଦଶରଥପୁର ତହସିଲଦାର ଓ ସ୍ଥାନୀୟ ସରପଞ୍ଚ ପହଞ୍ଚି ମଧ୍ୟ ଦର୍ଶନ କରିଛନ୍ତି ।ତେବେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି । ତେବେ ଏହି ମନ୍ଦିର କେଉଁ ମସିହାର ତାର ଅନୁସନ୍ଧାନ କରିବା ପାଇଁ ପ୍ରତ୍ନତତ୍ତ୍ବ ବିଭାଗର ସାହାଯ୍ୟ ନିଆଯାଇଛି ।

ସୂଚନାନୁଯାୟୀ,ଗତକାଲି ବୈତରଣୀ ନଦୀ ଗର୍ଭରେ ବାଲି ଖୋଳା ଚାଲିଥିବା ବେଳେ ଏକ ମନ୍ଦିର ଓ ଶିବଲିଙ୍ଗ ଠାବ ହୋଇଥିଲା । ଯାଜପୁର ଦଶରଥପୁରର ବହୁ ପୁରାତନ ସିଦ୍ଧେଶ୍ବର ମନ୍ଦିରର ଦୁଇଶହ ମିଟର ଦୂରରେ ଥିବା ବୈତରଣୀ ନଦୀ ଗର୍ଭରୁ ଏକ ମନ୍ଦିରର ଚୂଡ଼ା ଦୃଶ୍ୟମାନ ହୋଇଛି। ଜେସିବି ସାହାଯ୍ୟରେ ବେଆଇନ ବାଲି ଖୋଳା ଚାଲିଥିବା ବେଳେ ହଠାତ ଏହି ମନ୍ଦିର ଆବିଷ୍କୃତ ହୋଇଛି। ବାଲି ହଟିବା ପରେ ପାଣି ଭିତରେ ଥିବା ମନ୍ଦିର ଓ ଗୋଟିଏ ଶିବ ଲିଙ୍ଗ ଭଳି ଉଭା ହୋଇଥିଲା । ଏହି ପଥରର ଉଚ୍ଚତା ପାଖାପାଖି ୩ ଫୁଟ ରହିଛି । ନଦୀ ଗର୍ଭରୁ ମନ୍ଦିର ବାହାରିବା ଖବର ଜଣାପଡିବା ପରେ ନଦୀ ପଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।

ନଦୀ ଗର୍ଭରୁ ମିଳିଥିବା ମନ୍ଦିର ଓ ଶିବଲିଙ୍ଗ ଭଳି ଦେଖା ଯାଉଥିବା ପ୍ରସ୍ତର ଖଣ୍ଡ କେତେ ବର୍ଷ ପୂରୁଣା ଏବଂ ଏହା ପ୍ରକୃତରେ କେଉଁ ମନ୍ଦିର ପ୍ରତ୍ନତତ୍ତ୍ବ ବିଭାଗ ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି । ଯାହାର ସୁରକ୍ଷା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ମନ୍ଦିର ଶତାଧିକ ବର୍ଷର ହେବ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।