ଭୁବନେଶ୍ବର: ଜଙ୍ଗଲ ନିଆଁର ସ୍ଥିତି ଅନୁଧ୍ୟାନ ପରେ ଆଜି ରାଜ୍ୟ ସରକାରଙ୍କୁ ଭେଟିବ କେନ୍ଦ୍ରୀୟ ଟିମ୍ । ଶିମିଳିପାଳ ଜଙ୍ଗଲ ନିଆଁ ଘଟଣାର ଗ୍ରାଉଣ୍ଡ ଜିରୋ ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଟିମ୍। ଜଙ୍ଗଲରେ ନିଆଁ କେଉଁଠି ଲାଗିଛି, କ୍ଷୟକ୍ଷତିର ପରିମାଣ କେତେ, ନିଆଁ କେମିତି ଲାଗୁଛି ଏବଂ ଏହାର ନିରାକରଣ କରିବାରେ କି ପଦକ୍ଷେପ ନିଆଯାଇଛି ସେନେଇ ଅନୁଧ୍ୟାନ କରିଥିଲେ କେନ୍ଦ୍ରୀୟ ଟିମ୍ ।
ଶିମିଳିପାଳ ଏବଂ କୁଲଡିହା ଅଭୟାରଣ୍ୟ ଅନୁଧ୍ୟାନ ପରେ ଟିମ୍ ଚନ୍ଦକା ଅଭୟାରଣ୍ୟ ପରିଦର୍ଶନ କରିଥିଲେ । ସୋମବାର ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଟିମ୍ ଆଲୋଚନା କରିବେ । ଏହା ପରେ ଦିଲ୍ଲୀ ଫେରି କେନ୍ଦ୍ରୀୟ ଟିମ୍ ଚୂଡାନ୍ତ ରିପୋର୍ଟ ଦେବେ। ସେପଟେ ବିଜେପିର ୧୫ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଶିମିଳିପାଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ବରେ ଏହି ଟିମ୍ ଅଭୟାରଣ୍ୟରେ ନିଆଁ ଲାଗିଥିବା ସ୍ଥାନ ଦେଖିବା ସହ ନିଆଁ ଲାଗିବା କାରଣ ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ।ଗ୍ରାଉଣ୍ଡଜିରୋରେ ତର୍ଜମା ପରେ ବନବିଭାଗକୁ ମିଳିଥିବା ୬୦୦ କୋଟି ଟଙ୍କାର କାମ୍ପାଫଣ୍ଡ୍ ହିସାବ ମାଗିଛି ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଅନ୍ୟପଟେ ରାଜ୍ୟରେ ବନାଗ୍ନି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ସୂଚନା ଦେଇଛି ।