ପୁରୀ: ପୁରୀ ସମୁଦ୍ରରେ ସ୍ନାନ କରିବା ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ଅସାବଧାନତା ପାଇଁ ଦିନକୁ ଦିନ ଅଘଟଣ ବଢ଼ିବାରେ ଲାଗିଛି। ଆଜି ସମୁଦ୍ରରେ ସ୍ନାନ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ୮ ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡି ଯାଉଥିବା ବେଳେ ଉଦ୍ଧାର କରାଯାଇଛି । ୬ ଜଣ ବଙ୍ଗୀୟ ଓ ୨ ଜଣ ଓଡିଶାର ପର୍ଯ୍ୟଟକ ସମୁଦ୍ରରେ ସ୍ନାନ ବେଳେ ବୁଡି ଯାଉଥିବା ସମୟରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ସେମାନଙ୍କୁ ଉଦ୍ଧାର କରି ନୂଆ ଜୀବନ ଦେଇଛନ୍ତି। ଉଦ୍ଧାର ପର୍ଯ୍ୟଟକଙ୍କୁ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।
ତେବେ ଦିନକୁ ଦିନ ସମୁଦ୍ରରେ ସ୍ନାନ ବେଳେ ଅନେକ ପର୍ଯ୍ୟଟକ ସମୁଦ୍ରରେ ବୁଡି ଯିବା ଘଟଣା ଏବେ ପ୍ରଶାସନର ଚିନ୍ତାର କାରଣ ହୋଇଛି। ଯେତେ ସଚେତନ କରାଯାଉ ଥିଲେ ମଧ୍ୟ ଅମାନିଆଙ୍କ ଯୋଗୁ ଏହି ଅଘଟଣ ବଢ଼ିବାରେ ଲାଗିଛି । ସମୁଦ୍ର ସ୍ନାନ ବେଳେ ସମୁଦ୍ର ର ବେଶି ଭିତରକୁ ନ ଯାଇ କୂଳ ରେ ଗାଧୋଇ ବାକୁ ବାରମ୍ବାର ପ୍ରଶାସନ ସଚେତନ କରୁଥିଲେ ମଧ୍ୟ ପର୍ଯ୍ୟଟକ ମାନେ ସଚେତନ ନ ହେବା ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ପୁରୀ ଭ୍ରମଣରେ ଆସୁଥିବା ପର୍ଯ୍ୟଟକ ସମୁଦ୍ର ସ୍ନାନ ବେଳେ ସଚେତନ ହୋଇ ଗାଧୋଇଲେ କୌଣସି ଅଘଟଣ ହେବ ନାହିଁ । ତେବେ ଆଜି ସମୁଦ୍ର ରେ ବୁଡି ଯାଉଥିବା ବେଳେ ଉଦ୍ଧାର ହୋଇ ଥିବା ପର୍ଯ୍ୟଟକ ମାନେ ହେଲେ ପଶ୍ଚିମ ବଙ୍ଗର ବିବୋସେ ଦାସ , ନାନୁପମା ମୈତେ , ରାମ ପ୍ରସାଦ ନାସକର, କୌଶିକ ଖାନ, ପୁନିରେ ଖାନ , ଉଲ୍କା ଖାନ , ଜଟଣୀ ର ଦୀପକ ଚୌଧୁରୀ , ପୁରୀ ବାଲି ନୋଳିଆ ସାହିର ଲୋକନାଥ ରାଓ ।