ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଫେରାର ହୋଇଗଲେ ୩ ଦୁର୍ବୃତ୍ତ। ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
ସୂଚନାନୁସାରେ, ସହରର ଷ୍ଟାଇଲ ଫର୍ନିଚର ଓ ଷ୍ଟାଇଲ ପାର୍ଲର ବ୍ୟବସାୟୀ ଟି.ସଞ୍ଜୀବ ସୁବୁଦ୍ଧି ଦୋକାନ ବନ୍ଦ କରିବା ପରେ କାମ ସାରି ରାତି ପ୍ରାୟ ୯ ଟା ବେଳକୁ ବାଇକରେ ଝରିଗାଁ ରାସ୍ତାରେ ଥିବା ତାଙ୍କ ଘରକୁ ଫେରୁଥିଲେ । ସେହି ସମୟରେ ଘରୁ ଶହେ ମିଟର ଦୂରରେ ଏକ ବ୍ୟାଙ୍କ ସାମନାରେ ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଏକ ବାଇକରେ ଆସିଥିଲେ । ଏବଂ ସଂଜୀବ ସୁବୁଦ୍ଧିଙ୍କ ଅଣ୍ଟାରେ ଜିରୋ ରେଞ୍ଜରେ ବନ୍ଧୁକ ରଖି ଗୁଳି ମାରି ଫେରାର ହୋଇ ଯାଇଥିଲେ। ସଞ୍ଜୀବ ସୁବୁଦ୍ଧି ଘଟଣା ସ୍ଥଳରେ ଟଳି ପଡ଼ିଥିଲେ।
ଆଖ ପାଖରେ ଥିବା ଲୋକ ଗୁଳି ଫୁଟିବା ଶବ୍ଦ ଓ ବ୍ୟବସାୟୀ ବାଇକରୁ ଟଳି ପଡିଥିବା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରି ପ୍ରଥମେ ଉମରକୋଟ ମେଡ଼ିକାଲ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ସଂଜୀବଙ୍କୁ ରାତିରେ କୋରାପୁଟ ମେଡିକାଲ ନିଆଯାଇଥିଲା । ସେଠାରୁ ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଉମରକୋଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆଗକୁ ବଢାଇଛି ପୋଲିସ୍ ।