ଭୁବନେଶ୍ୱର: ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ଓଡିଶାରେ ପହଂଚିଛନ୍ତି କେନ୍ଦ୍ରୀୟ ଟିମ୍ । ଶିମିଳିପାଳରେ କାହିଁକି ନିଆଁ ଲାଗିଲା, ଏହାର କାରଣ ଅନୁଧ୍ୟାନ କରିବା ସହ ଏହାର ନିରାକରଣ ପାଇଁ କ’ଣ ସବୁ ପଦକ୍ଷେପ ନେବା ଆବଶ୍ୟକ ସେନେଇ ରିପୋର୍ଟ ଦେବ ଏହି ଟିମ ।ଓଡିଶା ଆସିଥିବା କେନ୍ଦ୍ରୀୟ ଟିମରେ ଅଛନ୍ତି ନ୍ୟାସନାଲ ଟାଇଗର କନଜରର୍ଭେସନ ଅଥରିଟି ଆଇଜି ଅମିତ ମଲିକ ସଦସ୍ୟ । ରାଜ୍ୟ ବନବିଭାଗ ପକ୍ଷରୁ ଅମିତ ମଲିକଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ କରାଯାଇଛି । କେନ୍ଦ୍ରୀୟ ଟିମର ଅନ୍ୟଜଣେ ସଦସ୍ୟ ସୁବ୍ରତ ମହାପାତ୍ର ଭୁବନେଶ୍ୱରରେ ରହିଛନ୍ତି । ତେବେ ଅନ୍ୟ ସଦସ୍ୟ ଆର. ପି. ଚୌଧୁରୀ ଓଡିଶା ଆସିନାହାନ୍ତି । କେନ୍ଦ୍ରୀୟ ଟିମର ସଦସ୍ୟ ଅମିତ ମଲିକ ଓ ସୁବ୍ରତ ପାତ୍ର ଶିମିଳିପାଳ ଯାଇ ଅଗ୍ନିକାଣ୍ଡର କାରଣ ଅନୁଧ୍ୟାନ କରିବା ପରେ କେନ୍ଦ୍ରକୁ ରିପୋର୍ଟ ଦେବେ ।
ଅନ୍ୟପକ୍ଷେ ଦୁଇ ଦିନିଆ ଗସ୍ତରେ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହିତ ନିଆଁ ନିୟନ୍ତ୍ରଣ ପାଇଁ ଚାଲିଥିବା କାର୍ଯ୍ୟକ୍ରମକୁ ମଧ୍ୟ ସମୀକ୍ଷା କରିଛନ୍ତି ମୋନା ଶର୍ମା । ଖୁଣ୍ଟା ବ୍ଲକ ଅନ୍ତର୍ଗତ ବଣିଆବସା ଗେଟ୍ ଦେଇ ପ୍ରବେଶ କରିଥିଲେ ଏହି ଟିମ୍ । ଆଜି ବାରହାକାମୁଡା, ଚହଲା, ନଅଣା ଆଦି ଅଂଚଳରେ ସ୍ଥିତି ଅନୁଧ୍ୟାନ କରି ଅଗ୍ନି ନିୟନ୍ତ୍ରଣ କାର୍ଯ୍ୟକ୍ରମ ତଦାରଖ କରିଥିଲେ । ଗୁରୁବାର ରାତ୍ରିଯାପନ କରି ଶୁକ୍ରବାର ଯଶୀପୁର ଦେଇ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି । ବୁଧବାର ବାରିପଦାରେ ବିଭାଗୀୟ ଅଧିକାରୀ, ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ସହ ସମୀକ୍ଷା କରିଥିଲେ ।