କୋଲକାତା: କୋଲକାତାର ଷ୍ଟାଣ୍ଡ ରୋଡ ସ୍ଥିତ ରେଳ ଭବନରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ ।ତେବେ ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଅଗ୍ନିଶମ କର୍ମଚାରୀ, ୨ ଜଣ ଆରପିଏଫ୍ କର୍ମଚାରୀ, ଜଣେ ଏଏସ୍ଆଇ ରହିଛନ୍ତି ।ତେବେ ଘଟଣାରେ ମୃତକଙ୍କ ସଂଖ୍ୟା ବଢିପାରେ ପାରେ ବୋଲି ସୂଚନା ମିଳୁଛି |
ସୂଚନା ଅନୁଯାୟୀ, ବହୁ ତଳ ବିଶିଷ୍ଟ କୋଠାର ୧୩ ତମ ମହଲାରେ ଲାଗିଥିଲା ଭୟଙ୍କର ନିଆଁ । ଅଗ୍ନିଶମ ବାହିନୀର ୧୭ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା। ତେବେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । କୋଇଲାଘାଟ ବିଲ୍ଡିଂ ଭାବେ ପରିଚିତ ଏହି କୋଠା ହୁଗୁଳି ନଦୀ କୂଳରେ ଅବସ୍ଥିତ। ଏଠାରେ ଇଷ୍ଟର୍ଣ୍ଣ ରେଳବାଇର ଅଫିସ ଚାଲିଥିଲା। କିନ୍ତୁ ଗତ ରାତିରେ ବିଲଡିଂରେ କୌଣସି କାରଣରୁ ହଠାତ୍ ନିଆଁ ଲାଗିଯାଇଥିଲା । କୋଲକାତାରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଗୁରୁତର ଆହତମାନଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଘୋଷଣା କରିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, “କୋଲକାତାରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ମୁଁ ଦୁଃଖିତ । ଏହି ଖବର ଜାଣିବା ପରେ ଶୋକସନ୍ତପ୍ତ ପରିବାରଙ୍କ ସହ ମୁଁ ଅଛି। ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ।” ଅଗ୍ନିକାଣ୍ଡ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଳମ୍ବିତ ରାତିରେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।ସେହିଭଳି ଅଗ୍ନି ସେବା ମନ୍ତ୍ରୀ ସୁଜିତ ବୋଷ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।
ସେହିପରି ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରତି ମୃତକଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ଅଗ୍ନିକାଣ୍ଡରେ ୯ ଜଣଙ୍କ ଜୀବନ ଯାଇଥିବା ଅଗ୍ନି ସେବା ମନ୍ତ୍ରୀ ସୁଜିତ ବୋଷ ସ୍ପଷ୍ଟ କରିଛନ୍ତି । ଦମକଳ ବାହିନୀର ଏକାଧିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ବିଲଡିଂରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ତେବେ ନିଆଁ କେମିତି ଲାଗିଲା ସେକଥା ଜଣାପଡ଼ିନାହିଁ।