Odia News Portal

ପ୍ରଥମେ ଆକ୍ରମଣ କରିଥିଲା ଟୁକୁନା: ଡିସିପି

ଭୁବନେଶ୍ୱର: ସିଆରପି ଛକ ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀଙ୍କୁ ମାଡ ମାରିଥିବା ଅଭିଯୋଗରେ ୫ ଜଣଙ୍କୁ ନୟାପଲ୍ଲୀ ପୋଲିସ୍ ଗିରଫ କରିଛି । ସେହିଭଳି ପିସିଆର ଭ୍ୟାନ ଭଙ୍ଗାରୁଜା ଓ ହତ୍ୟାକାରୀକୁ ମାଡ ମାରିଥିବା ଘଟଣାରେ ମୋଟ ୧୨ରୁ ୧୫ ଜଣଙ୍କୁ ଚିହ୍ନଟ କରିଛି ପୋଲିସ । ଆଇନକୁ ହାତକୁ ନେଇଥିବା ପ୍ରଥମ ବ୍ୟକ୍ତି ପ୍ରଶାନ୍ତ ଦାସ । ମହିଳା ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲା ପ୍ରଶାନ୍ତ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ । ତେବେ ଏନେଇ ସାମ୍ୱାଦିକ ସମ୍ମିଳନୀରେ ସୁଚନା ପ୍ରଦାନ କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍ଗକର ଦାସ ।

ଗତକାଲି ସିଆରପି ଛକରେ ପୂର୍ବ ଶତ୍ରୁତାରୁ ଟୁକୁନା ଦାଶଙ୍କୁ ହତ୍ୟା କରିଥିଲେ ସୁଧୀର ଓ ସାଗର । ତେବେ ହତ୍ୟାକାଣ୍ଡ ଘଟଣା ପରେ ଉତ୍ୟକ୍ତ ଲୋକେ ପିସିଆର ଭ୍ୟାନ୍ କାଚ ଭାଙ୍ଗି ହତ୍ୟାକାରୀଙ୍କୁ ନିର୍ଧୁମ ମାଡ ମାରିଥିଲେ । ଏହା ସହିତ ପିସିଆର୍ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ଭିଡ଼ିଓ ଫୁଟେଜକୁ ଆଧାର କରି ପୋଲିସ୍ ସେମାନଙ୍କୁ ଗିରଫ କରିଛି । ଟୁକୁନାଙ୍କ ସହ ଅଭିଯୁକ୍ତ ଦୁଇ ଭାଇ ସୁଧୀର ଓ ସାଗରର ପୂର୍ବରୁ ବିବାଦ ଥିଲା । ଗତକାଲି ଟୁକୁନା ପ୍ରଥମେ ଦୁଇ ଭାଇଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ପରେ ଦୁଇ ଭାଇ ସେହି ଛୁରୀରେ ଟୁକୁନାକୁ ଆକ୍ରମଣ କରିଥିଲେ । ଯେଉଁଥିରେ ଟୁକୁନାର ମୃତ୍ୟୁ ହୋଇଥିଲା ବୋଲି ଡିସିପି କହିଛନ୍ତି । ସେହିପରି ଗତକାଲି ଅଭିଯୁକ୍ତ ସୁଧୀର ଓ ସାଗର, ଟୁକୁନାକୁ ପିକ୍ ଅପ୍ ଭ୍ୟାନରେ ନେବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।