Odia News Portal

ରୋଗୀଙ୍କ ପାଇଁ ଯମ ସାଜିଲେ ଡାକ୍ତର

ଅସ୍ତ୍ରୋପଚାରରେ ତ୍ରୁଟି, କଟିଲା ଅନ୍ତନଳୀ ଖୋଲିଲା ଷ୍ଟିଚ୍

ଝାରସୁଗୁଡ଼ା: ଯନ୍ତ୍ରଣାରେ ଛଟପଟ ଝାରସୁଗୁଡ଼ାର ଦୁଇ ମହିଳା | ଅସ୍ତ୍ରୋପଚାରରେ ତ୍ରୁଟି କାରଣରୁ ଦୁଇଜଣ ମହିଳା ଏବେ ମୃତ୍ୟୁ ସହ ସଂଘର୍ଷ କରୁଥିବା ଘଟଣା ଏବେ ଝାରସୁଗୁଡା ଜିଲ୍ଲାରେ ଚାଞ୍ଚଲ୍ୟ ଖେଲାଇଛି । ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କୁହାକୁଣ୍ଡାଠାରେ ରହୁଥିବା ଜଣେ ମହିଳାଙ୍କ ଜନ୍ମ ନିୟନ୍ତ୍ରଣ ପାଇଁ ହୋଇଥିବା ଅସ୍ତ୍ରୋପଚାରରେ ତ୍ରୁଟି ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ନାଚେନମୁରାର ଅନ୍ୟ ଜଣେ ମହିଳାଙ୍କ ଷ୍ଟିଚ୍ ଖୋଲି ଯିବା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି ।

ସୂଚନାନୁଯାୟୀ, ଗତ ମଙ୍ଗଳବାର ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଯୋଜନାରେ ମହିଳାଙ୍କ ଅସ୍ତ୍ରୋପଚାର ହୋଇଥିଲା । କନକତୋରା ପଞ୍ଚାୟତ କୁହାକୁଣ୍ଡା ଗାଁ ଜିତେନ ଭୋଇଙ୍କ ପତ୍ନୀ ସରିତା ଭୋଇ ଏଠାକୁ ଅସ୍ତ୍ରୋପଚାର ପାଇଁ ଆସିଥିଲେ । ଅସ୍ତ୍ରୋପଚାର ସମୟରେ ଭୁଲରେ ଡାକ୍ତର ତାଙ୍କ ଖାଦ୍ୟ ନଳୀକୁ କାଟି ଦେଇଥିଲେ । ଫଳରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ପରେ ବୁର୍ଲା ହସ୍ପିଟାଲକୁ ନିଆଯାଇଛି। ହେଲେ ଏଭଳି ତୁଟିପୂର୍ଣ୍ଣ ଚିକିତ୍ସା ମହିଳାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିବା ପରେ ଜିଲ୍ଲାରେ ସରକାରୀ ସ୍ୱାସ୍ଥ୍ୟସେବାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ତେବେ ଡାକ୍ତରଙ୍କ ଭୁଲ ଯୋଗୁଁ ଏପରି ଘଟଣା ଘଟିଛି। ତେଣୁ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପରିବାର ଲୋକ ଦାବି କରିଛନ୍ତି ।

ସେହିଭଳି ନାଚେନମୁରା ଗାଁର ଅରୁଣା ଗୁପ୍ତାଙ୍କ କ୍ଷେତ୍ରରେ ମଧ୍ୟ ହୋଇଛି ସମାନ ଧରଣର ତ୍ରୁଟି । ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଗତ ୨୩ ତାରିଖରେ ଲଖନପୁର ସିଏଚସି ଶିବିରରେ ଯୋଗଦେଇଥିଲେ । ସେଠାରେ ତାଙ୍କର ଅସ୍ତ୍ରୋପଚର ପରେ ଷ୍ଟିଚ ଖୋଲିବା ଅଧଘଣ୍ଟା ମଧ୍ୟରେ ଅନ୍ତଃନଳି ବାହରି ପଡିବାରୁ ପରିବାର ଲୋକେ ଅସହାୟ ହୋଇପଡି ତୁରନ୍ତ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।ସେଠାରେ ଅରୁଣାଙ୍କ ପୁନର୍ବାର ଷ୍ଟିଚ କରାଯାଇ ଚିକିତ୍ସା ଜାରି ରହିଥିଲା। ଆଜି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ଆସିଛି । ସେପଟେ ବୁର୍ଲାରେ ସରିତା ଭୋଇ ଜୀବନ ସହ ସଂଗ୍ରାମ ଚଳାଇଛନ୍ତି ।