ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ (ଏମ୍ସିଡି) ଉପନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍)ର ବାଜିମାତ୍ । ପାଞ୍ଚଟି ଆସନ ପାଇଁ ହୋଇଥିବା ଏହି ଉପ ନିର୍ବାଚନରେ ଆପ୍ ଚାରୋଟିରେ ବିଜୟୀ ହୋଇଛି । ଉପନିର୍ବାଚନରେ ବିଜୟ ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦଳର ସବୁ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ୨୦୨୨ରେ ହେବାକୁ ଥିବା ଏମ୍ସିଡି ନିର୍ବାଚନ ପୂର୍ବରୁ ଉପନିର୍ବାଚନପ ଫଳାଫଳ ବିଜେପି ପାଇଁ ଏକ ବାର୍ତ୍ତା ବୋଲି ସିସୋଦିଆ କହିଛନ୍ତି । ତ୍ରୈଲୋକ୍ୟପୁରୀ, ରୋହିଣୀ, କଲ୍ୟାଣପୁରୀ ଓ ଶାଲିମାର ବାଗ ଆସନରେ ଆପ୍ ବାଜିମାତ୍ କରିଥିବା ବେଳେ ଚୌହାନ ବାଙ୍ଗଡ ଆସନରେ କଂଗ୍ରେସ ବିଜୟୀ ହୋଇଛି ।
ତ୍ରୈଲୋକ୍ୟପୁରୀ ଆସନରୁ ଆପ୍ ପ୍ରାର୍ଥୀ ବିଜୟ କୁମାର ୪୯୮୬ ଭୋଟରେ ବିଜୟୀ ହୋଇଥିବା ବେଳେ ରୋହିଣୀ ଆସନରୁ ଆପ୍ ପ୍ରାର୍ଥୀ ରାମଚନ୍ଦ୍ର କୋ ୨୯୮୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେହିଭଳି ଶାଲିମାର ବାଗ ଆସନରୁ ଆପ୍ ପ୍ରାର୍ଥୀ ସୁନିତା ମିଶ୍ରା ୨୭୦୫ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ବେଳେ ଚୌହାନ ବାଙ୍ଗଡ ଆସନରୁ କଂଗ୍ରେସ ପ୍ରାର୍ଥୀ ଚୌଧୁରୀ ଜୁବେର ଅହମ୍ମଦ ବିଜୟୀ ହୋଇଛନ୍ତି । ଅନ୍ୟପଟେ କଲ୍ୟାଣପୁରୀ ଆସନରୁ ଆପ୍ ପ୍ରାର୍ଥୀ ଧିରେନ୍ଦ୍ର କୁମାର କୋ ୭୦୪୩ ଖଣ୍ଡ ଭୋଟରେ ବିଜୟଲାଭ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ନଗର ନିଗମରେ ବହୁବର୍ଷ ହେଲା ବିଜେପିର ପ୍ରାଧାନ୍ୟ ରହି ଆସିଛି । ୨୦୨୨ରେ ଏମ୍ସିଡି ନିର୍ବାଚନ ହେବାକୁ ଥିବା ବେଳେ ଉପନିର୍ବାଚନ ଫଳାଫଳରୁ ବିଜେପିର ଦବ୍ଦବା କମୁଥିବା ସଙ୍କେତ ମିଳିଛି ।