Odia News Portal

ଟିକା ନେଲେ ହର୍ଷବର୍ଦ୍ଧନ, ରାଜ୍ୟ ବିଧାୟକ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଟିକାରଣ । ସୋମବାର ମୁଖ୍ୟମନ୍ତ୍ରୀ ବିଧାନସଭା ପରିସରରେ ଟିକା ନେଇଥିବାବେଳେ ଆଜି ଅନେକ ବିଧାୟକ ଏବଂ ପୂର୍ବତନ ବିଧାୟକ ଟିକାକରଣ ପକ୍ରିୟାରେ ସାମିଲ ହୋଇଛନ୍ତି ।ସମୁଦାୟ ୨୦ ଜଣ ବିଧାୟକ ଆଜି ଟିକା ନେବେ ବୋଲି ଜଣାପଡିଛି ।

ଆଜିର ଟିକାକରଣ ପ୍ରକ୍ରିୟାରେ ଟିକା ନେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତ ରାୟ । କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ବିଧାନସଭା ଡିସପେନସାରୀରେ ଟିକା ନେଇଛନ୍ତି ସୁର । ସୁରଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କରୋନା ଟିକା ନେଇଛନ୍ତି । ସେହିପରି ବିଧାୟକ ନବ ଚରଣ ମାଝି, ଅରବିନ୍ଦ ଢାଲି, ଶ୍ରୀକାନ୍ତ ସାହୁ, ମୁକେଶ ମହାଲିଙ୍ଗ ମଧ୍ୟ ସାମିଲ ହୋଇଛନ୍ତି । ସେପଟେ ବଲାଙ୍ଗୀରରେ ନରସିଂହ ମିଶ୍ର, କଟକରେ ସୁବାସ ସିଂ ଓ ଦେବାଶିଷ ସାମନ୍ତରାୟ ମଧ୍ୟ ଟିକା ନେଇଛନ୍ତି । ସେପଟେ ଆଜି ଦିଲ୍ଲୀରେ କରୋନା ଟିକା ନେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ଦିଲ୍ଲୀ ସ୍ଥିତ ହାର୍ଟ ଆଣ୍ଡ ଲଙ୍ଗ ଇନଷ୍ଟିଚ୍ୟୁଟରେ ଆଜି ସକାଳୁ ପତ୍ନୀଙ୍କ ସହ ପହଂଚିଥିଲେ ଡକ୍ଟର ହଷବର୍ଦ୍ଧନ । ଏଠାରେ ତାଙ୍କୁ କରୋନା ଟିକାର ପ୍ରଥମ ଡୋଜ ଦିଆଯାଇଛି ।

ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ର ମଧ୍ୟ ଟିକା ନେଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ବିଧାନସଭା ପରିସରରେ ଥିବା ହସ୍ପିଟାଲରେ ଟିକା ନେଇଥିଲେ । ଏବଂ ରାଜ୍ୟବାସୀଙ୍କୁ ମଧ୍ୟ ଟିକାକରଣରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ । ଟିକାକରଣ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଧାର୍ଯ୍ୟ ଲକ୍ଷ୍ୟରୁ ଅଧିକ ଟିକା କରଣ ହୋଇଛି । ରାଜ୍ୟର ନିର୍ଦ୍ଧାରିତ ଘରୋଇ ହସ୍ପିଟାଲରେ ୨୫୦ ଟଙ୍କାରେ ଟିକା ପ୍ରଦାନ କରାଯାଉଛି । ଗତକାଲି ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ୧୧ ହଜାର ୨୮୯ ଟିକାକରଣ କରାଯାଇଛି । ୪୫ରୁ ୫୯ ବର୍ଷ ଯାଏ ୩୦୦ଜଣଙ୍କୁ ଟିକା ଦିଆଯାଇଛି । ବୟସ୍କଙ୍କୁ ଅନଲାଇନ ଓ ଅଫଲାଇନରେ ଟିକା ଦିଆଯାଇଛି । ଗତକାଲି ସମୁଦାୟ ମୋଟ ୧୧ହଜାର ୫୮୯ଜଣଙ୍କ କରୋନା ଟିକା ଦିଆଯାଇଛି ।