Odia News Portal

ସ୍ବାସ୍ଥ୍ୟ ବଜେଟ୍: ଏସସିବି ‘ଏମ୍ସ ପ୍ଲସ୍’ ପାଇଁ ୫୦୦ କୋଟି

ଭୁବନେଶ୍ବର: ବିଧାନସଭାରେ ବର୍ଷ ୨୦୨୧-୨୨ ପାଇଁ ଆର୍ଥିକ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆର୍ଥିକ ବର୍ଷ ୨୦୨୧-୨୨ରେ ରାଜ୍ୟ ପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ଚଳିତ ବର୍ଷ ସ୍ବାସ୍ଥ୍ୟ ସେବା କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ସ୍ୱାସ୍ଥ୍ୟସେବା ଲାଗି ସର୍ବମୋଟ୍ ୯,୧୬୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଯାହା ବିଗତ ବର୍ଷ ତୁଳନାରେ ୧୯ ପ୍ରତିଶତ ଅଧିକ । ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ୧,୩୫୩ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ମାଧ୍ୟମରେ ସ୍ୱାସ୍ଥ୍ୟକ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ଓ ସେବା ପାଇଁ ୧,୫୭୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ୧,୭୫୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।ସେହିଭଳି କଟକ ଏସ୍‌ସିବିକୁ ବିଶ୍ବସ୍ତରୀୟ କରିବା ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ଏସ୍‌ସିବିକୁ ଏମ୍ସ ପ୍ଲସ୍‌ କରିବା ପାଇଁ ମୋଟ ୩ ହଜାର ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଚଳିତ ବର୍ଷ ଏସ୍‌ସିବି ପାଇଁ ୫ଶହ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର ।

ସେହିଭଳି ନିର୍ମଳ ଯୋଜନାରେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ପରିମଳ ବ୍ୟବସ୍ଥାର ମାନର ଉନ୍ନତି, ଲଣ୍ଡ୍ରୀ, ସୁରକ୍ଷା, ଉଦ୍ୟାନ ଏବଂ ଲିଫ୍ଟ ସେବା ପାଇଁ ୩୭୦ କୋଟି ଟଙ୍କାର ବ୍ୟବସ୍ଥା । ସେହିପରି ନିରାମୟ ଯୋଜନା ଅଧୀନରେ ନିଃଶୁଳ୍କ ଔଷଧ ପାଇଁ ୬୦୦ କୋଟି, ନିଦାନ ଯୋଜନା ଅଧୀନରେ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୨୨୯ କୋଟି ଏବଂ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ଅଧୀନରେ ୧୬୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।