ଭୁବନେଶ୍ୱର: ଆସନ୍ତାକାଲି ଠାରୁ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ | ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବସିଛି ସର୍ବଦଳୀୟ ବୈଠକ । କାଲିଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନକୁ କିଭଳି ପରିଚାଳନା କରାଯିବ ସେନେଇ ଏହି ବୈଠକରେ ଆଲୋଚନା କରାଯାଇଛି । ତେବେ ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ୍ ଡିଜି ଅଭୟ । ଗତ ଅଧିବେଶନ ତୁଳନାରେ ଏଥର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବ।
ଚଳିତ ବର୍ଷ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯିବ । ପ୍ରାୟ ୩୦ ପ୍ଲାଟୁନ୍ ପୋଲିସ୍ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ଉପସ୍ଥିତ ରହିବେ |ବିଧାନସଭା ଭିତରେ ଗୁଇନ୍ଦା ବିଭାଗର କର୍ମଚାରୀ ସାଧା ପୋଷାକରେ ମୁତୟନ ରହିବେ । ସେହିପରି ବାହାରେ ଦ୍ୱିସ୍ତରୀୟ ସଶସ୍ତ୍ର ପୋଲିସ୍ ବାହିନୀଙ୍କୁ ମୁତୟନ କରାଯିବ । ଏଥିସହ ଅଧିବେଶନ ବେଳେ ଲୋୟର ପିଏମଜିରେ ବିକ୍ଷୋଭକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ଆବଶ୍ୟକୀୟ ବନ୍ଦୋବସ୍ତ କରାଯାଇଛି ।
ଗତ ଅଧିବେଶନରେ ଦାବି ପୂରଣ ପାଇଁ ଅନେକ ଆତ୍ମଦାହ ଉଦ୍ୟମ ହୋଇଥିବାରୁ ଏହାକୁ ଏଡାଇବା ପାଇଁ ପୋଲିସ୍ ପକ୍ଷରୁ ନଜର ରଖାଯିବ ।ତେବେ ଯେଉଁମାନଙ୍କର କିଛି ଆପତ୍ତି ଅଭିଯୋଗ ଅଛି, ଅଭିଯୋଗ ପ୍ରକୋଷ୍ଠକୁ ଯାଆନ୍ତୁ। ଏମିତି ବେଆଇନ କାର୍ଯ୍ୟ ନକରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ |