Odia News Portal

ସୁନ୍ଦରଗଡ଼ ଜିଲ୍ଲାକୁ ୪୯୧୫ କୋଟିର ଉପହାର

ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀଙ୍କ ଫୋକସ୍ ରେ ସୁନ୍ଦରଗଡ଼ । ସୁନ୍ଦରଗଡ ଜିଲ୍ଲାକୁ ୪୯୧୫ କୋଟି ଟଙ୍କାର ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲାର ବିପିୟୁଟି ପରିସରରେ ଆୟୋଜିତ ସଭାସ୍ଥଳରୁ ସୁନ୍ଦରଗଡବାସୀଙ୍କୁ ଏହି ବଡ ଭେଟି ଦେଇଛନ୍ତି ନବୀନ । ସୁନ୍ଦରଗଡ଼ ଜିଲ୍ଲାଗସ୍ତ କରି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ନବୀନ । ସ୍ୱାସ୍ଥ୍ୟ,ଶିକ୍ଷା, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଦକ୍ଷତା ବିକାଶ ଭଳି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିଭଳି ରାଉରକେଲାରେ ନିର୍ମାଣ ହେବାକୁ ଥିବା ଦେଶର ସର୍ବ ବୃହତ ହକି ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।ଯେଉଁଠି ଆଗାମୀ ୨୦୨୩ରେ ହକି ବିଶ୍ୱକପ ଅନୁଷ୍ଠିତ ହେବ ।ଏହା ବ୍ୟତୀତ ପାନୀୟ ଜଳ ପ୍ରକଳ୍ପ ପାଇଁ ୧ ହଜାର ୬ଶହ ୧୧କୋଟି, ଜଳସେଚନ ପାଇଁ ୩ଶହ ୨୦ କୋଟି, ସ୍ୱାସ୍ଥ୍ୟସେବା ପାଇଁ ଶହେ ୧୧ କୋଟି, ରାସ୍ତାର ବିକାଶ ପାଇଁ ହଜାରେ ୬୦ କୋଟି, ଶିକ୍ଷା ପାଇଁ ୩୬୭ କୋଟି, ପରିମଳ ପାଇଁ ୨୫୦ କୋଟି, ସ୍ମାର୍ଟ ସିଟି ରାଉରକେଲା ପାଇଁ ୪୭୧ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୧୩୫ କୋଟିର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।