Odia News Portal

ସସ୍ମିତା ହତ୍ୟାକାଣ୍ଡ: ସ୍ୱାମୀ ଦେଇଥିଲା ସୁପାରୀ

ନୟାଗଡ଼: ସସ୍ମିତା ମହାପାତ୍ର ହତ୍ୟା ଘଟଣା ।ପ୍ରେମିକାକୁ ପାଇବାକୁ ରାସ୍ତାରେ କଣ୍ଟା ସାଜିଥିଲା ସ୍ତ୍ରୀ। ତେଣୁ ସ୍ତ୍ରୀକୁ ରାସ୍ତାରୁ ହଟାଇବାକୁ ପୂରା ପ୍ରି ପ୍ଲାନ୍‌ କଲା ସ୍ୱାମୀ । ଏପରିକି ୪ ସୁପାରୀ କିଲର୍‌ଙ୍କ ସହ ମିଶି ସ୍ତ୍ରୀକୁ ହତ୍ୟା ମଧ୍ୟ କଲା। ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଘରେ ମାରି ଝୁଲାଇ ଦେଲା ।ତେବେ ଏହି ଘଟଣାରେ ପୂର୍ବରୁ ପୁଲିସ୍‌ ସସ୍ମିତାଙ୍କ ସ୍ୱାମୀଙ୍କୁ ଗିରଫ କରି ସାରିଥିବା ବେଳେ ଏବେ ଧରା ପଡ଼ିଛନ୍ତି ୪ ସୁପାରୀ କିଲର। ମାମଲାରେ ୪ଜଣ ସୁପାରି କିଲରଙ୍କୁ ଅଟକ ରଖିଛି ପୋଲିସ । ଆଜି ପୋଲିସ ହତ୍ୟା ଘଟଣାର ସିନ୍‌ ରିକ୍ରିଏଟ୍‌ କରିବାର ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ସୁଆର ସାହିର ଅକ୍ଷୟ ମହାପାତ୍ର ୪ ବର୍ଷ ପୂର୍ବେ ସସ୍ମିତା ମହାପାତ୍ରଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପର୍ଯ୍ୟନ୍ତ ହସଖୁସିରେ ଦାମ୍ପତ୍ୟ ଜୀବନ କଟି ଯାଇଥିବା ବେଳେ ତା’ ପରେ ଦେଖା ଦେଇଥିଲା ବିବାହକୁ ନେଇ ବାଦ ବିବାଦ । ସସ୍ମିତାଙ୍କ ସ୍ୱାମୀ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ଯୋଗୁ ଘରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ଗତ ୨୯ ତାରିଖ ବିଳମ୍ବିତ ରାତିରେ ପରକୀୟା ପ୍ରୀତି ପାଇଁ ସସ୍ମିତାଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦିଆଯାଇଥିଲା । ଯାହାର ଛାନ୍‌ଭିନ୍‌ ଆରମ୍ଭ କରିଥିଲା ପୁଲିସ୍ ।

ପୂର୍ବରୁ ଏହି ଘଟଣାରେ ସସ୍ମିତାଙ୍କ ସ୍ୱାମୀ ଅକ୍ଷୟ ମହାପାତ୍ର ଓ ପ୍ରେମିକାକୁ ଗିରଫ କରାଯାଇଥିଲା । ଆଉ ଏବେ ଏହି ହତ୍ୟା ଘଟଣାରେ ୪ଜଣ ସୁପାରି କିଲରଙ୍କୁ ଅଟକ ରଖିଛି ପୋଲିସ । ହତ୍ୟା ପାଇଁ ୨୦ହଜାର ଟଙ୍କାର ସୁପାରୀ ଦେଇଥିଲା ସ୍ୱାମୀ ଅକ୍ଷୟ। ଗତକାଲି ସୁପାରି କିଲରଙ୍କ ଉପସ୍ଥିତିରେ ତା ଘରୁ ୨୦ହଜାର ଟଙ୍କା ଜବତ କରିଛି ପୁଲିସ୍ ।ତେବେ ସିନ୍‌ ରିକ୍ରିଏଟ୍‌ ଦ୍ୱାରା ଆଜି କିଛି ନୂତନ ତଥ୍ୟ ପୋଲିସ ହାତରେ ଲାଗିବାର ସମ୍ଭାବନା ରହିଛି ।