ଭୁବନେଶ୍ୱର: ପୁରୀ-ଭୁବନେଶ୍ୱର ବାଇପାସ୍ର ହେଲା ଆଲୋକୀକରଣ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ସଂଧ୍ୟାରେ ଭୁବନେଶ୍ୱରର ଟଙ୍କପାଣି ରୋଡସ୍ଥିତ ସାଇମନ୍ଦିର ଛକ ଠାରେ କଟକ-ପୁରୀ ବାଇପାସ୍ ରୋଡରେ ଏଲ୍ଇଡି ଷ୍ଟ୍ରିଟଲାଇଟ ଆଲୋକୀକରଣ ବ୍ୟବସ୍ଥାକୁ ଲୋକାର୍ପିତ କରିଛନ୍ତି । ଏହି ଆଲୋକୀକରଣ ବ୍ୟବସ୍ଥା ବାଇପାସ୍ ରୋଡର ପଳାଶୁଣୀ ଛକ ଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ପ୍ରାୟ ୧୨ କିଲୋମିଟର ରାସ୍ତାରେ ଆଲୋକୀକରଣ କାର୍ଯ୍ୟକାରୀ କରାଯାଇଛି ।
ଏହି ଆଲୋକୀକରଣ ବ୍ୟବସ୍ଥାରେ ୩୮୭ ଲାଇଟ ଖୁଣ୍ଟ ଥିବାବେଳେ ହାଇଟେକ୍ ଛକ, କେଶୁରା ଛକ, ସାଇ ମନ୍ଦିର ଛକ ଏବଂ ଲିଙ୍ଗିପୁର ଛକରେ ୪ଟି ହାଇମାସ୍କ ଲାଇଟ ଲାଗିଛି ।ସେହିଭଳି ବିଦ୍ୟୁତ ନିୟନ୍ତ୍ରଣ ପାଇଁ ୪ଟି ଟ୍ରାନସ୍ଫର୍ମରର ବ୍ୟବସ୍ଥା ମଧ୍ୟ କରାଯାଇଛି । ୨୦୧୭ରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ଏନ୍ଏଚ୍ଏଆଇ ଜାତୀୟ ରଜପଥରେ ଖୁଣ୍ଟିର ଉଚ୍ଚତାକୁ ନେଇ ଆପତ୍ତି ଉଠାଇଥିଲା ।
ପରେ ରାଜ୍ୟ ସରକାର ଏହାକୁ ସଂଶୋଧିତ କରି ପ୍ରକଳ୍ପର କାର୍ଯ୍ୟ ଆଗେଇଥିଲେ । ଏହି ବୃହତ ଆଲୋକୀକରଣ ପ୍ରକଳ୍ପ ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାଦ୍ୱାରା ବିଦ୍ୟୁତ ଶକ୍ତି ଖର୍ଚ୍ଚ କମିବା ସହିତ ଗାଡିଚାଳକ ଓ ପଥଚାରୀ ମାନଙ୍କ ଯାତାୟତ ଅଧିକ ନିରାପଦ ହେବ ଏବଂ ଆଲୋକୀକରଣ ବ୍ୟବସ୍ଥା ଦ୍ୱାରା ସଡକ ଦୁର୍ଘଟଣା କମିବା ସହିତ ଚୋରୀ ଓ ଲୁଟପାଟ ଭଳି ଅପରାଧିକ କାର୍ଯ୍ୟକଳାପ ମଧ୍ୟ କମିବ ବୋଲି ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି ।