ଭୁବନେଶ୍ୱର: ଝରାଫୁଲ ହତ୍ୟା ରହସ୍ୟ ଉପରୁ ପରଦା ହଟିଛି । ପୁଲିସ ଛାନଭିନ୍ନ ଚଳାଇଥିବା ବେଳେ ନୁଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି ।ତେବେ ପୋଲିସ ଛାନଭିନରେ ସାମ୍ନାକୁ ଆସିଛି ଭୁବନେଶ୍ୱର ଧର୍ମବିହାରରେ ଥିବା ଓୟୋ ଶିବଶକ୍ତି ଗେଷ୍ଟ ହାଉସର ସିସିଟିଭି ଫୁଟେଜ । ଗତ ୨୬ ତାରିଖରେ ରାତିରେ ଶିବଶକ୍ତି ଗେଷ୍ଟ ହାଉସରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ରହିଥିଲେ ଝରାଫୁଲ । ଗିରଫ ଅଭିଯୁକ୍ତ ରାକେଶ ନିଜେ ଏ ସଂପର୍କରେ ପୁଲିସ ଆଗରେ ଚାଞ୍ଚଲ୍ୟକର ବୟାନ ଦେଇଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ୨୬ ତାରିଖ ସକାଳେ ଝରାଫୁଲ ଗାଁକୁ ଯିବା ଲାଗି ଜୟଦେବବିହାରରୁ ଝାଡ଼େଶ୍ୱର ବସ୍ରେ ଚଢ଼ିବା ପରେ ବାଣୀବିହାର ଛକରେ ହଠାତ ଓହ୍ଲାଇ ପଡ଼ିଥିଲେ। ବସରୁ ଓହ୍ଲାଇବା ପରେ ଝରାଫୁଲ ଘର ଲୋକଙ୍କୁ ଦେହ ଅସୁସ୍ଥ ଥିବା କଥା ଫୋନ କରି ଜଣାଇବା ପରେ ସେଠାରୁ ଚାଲିଚାଲି ରୁପାଲି ଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପୂର୍ବରୁ ତାଙ୍କୁ ଅପେକ୍ଷା କରିଥିବା ବଏଫ୍ରେଣ୍ଡ ରାକେଶ ତାଙ୍କୁ ଗାଡ଼ିରେ ବସାଇ ରାଜଧାନୀର ଏକ ହୋଟେଲକୁ ନେଇ ଯାଇଥିଲେ । ଦୁହେଁ ହୋଟେଲରେ ରାତି ବିତାଇ ଥିଲେ। ତେବେ ସକାଳେ ଏପରି କଣ ହେଲା ? ଝରାଫୁଲଙ୍କୁ ଭଲ ପାଉଥିବା ରାକେଶ ଓ ତା ସହଯୋଗୀ ଶେଖର କାହିଁକି ମୃତଦେହକୁ କୁଆଖିଆ ନିକଟରେ ଫିଙ୍ଗିଦେଇଥିଲେ ସେ ରହସ୍ୟ ଉପରୁ ଏଯାଏଁ ପରଦା ହଟିନି । ତେବେ ଗିରଫ ଅଭିଯୁକ୍ତ ରାକେଶ ନିଜ ବୟାନରେ ଝରାଫୁଲଙ୍କ ମୃତ୍ୟୁ ଫୁଡ ପଏଜନ ଦ୍ୱାରା ହୋଇଥିବା ଜଣାଇଛି |
ଗତକାଲି ଝରାଫୁଲଙ୍କ ବାପା ଝିଅର ହତ୍ୟାକାଣ୍ଡ ପାଇଁ ତା’ର ବଏଫ୍ରେଣ୍ଡ ରାକେଶ ସ୍ୱାଇଁକୁ ଦାୟୀ କରିଥିଲେ। ଏନେଇ ପୋଲିସ ଗତକାଲି ଖୋଳତାଡ଼ ଆରମ୍ଭ କରିଥିବା ବେଳେ ଗତ ରାତିରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଆତ୍ମସମର୍ପଣ କରିଥିଲା ରାକେଶ । ତେବେ ଅଭିଯୁକ୍ତ ହତ୍ୟାକାଣ୍ଡ ସଂପର୍କରେ ପୋଲିସ ଆଗରେ ସବୁ ଗୁମର ଫିଟାଇଛି ।ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ଅଞ୍ଚଳରୁ ମିଳିଥିବାରୁ ଏୟାରଫିଲ୍ଡ ଥାନା ପୋଲିସ ରାକେଶକୁ ଯାଜପୁର ପୋଲିସକୁ ହସ୍ତାନ୍ତର କରିଛି । ସିସିଟିଭିରେ କଏଦ ହୋଇଥିବା ଫୁଟେଜରେ ସ୍କୁଟି ଆରୋହୀ ଜଣକ ରାକେଶ ବୋଲି ପୂର୍ବରୁ ପୋଲିସ ସୂଚନା ମିଳିଥିବା ବେଳେ ରାକେଶର ଅନ୍ୟତମ ସାଥୀ ଶେଖରକୁ ଧରିବା ଲାଗି ତନାଘନା ଜାରି ରଖିଛି ପୋଲିସ ।